• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଭାଇରାଲ ହେଲା କପିଲଙ୍କ ଭିଡିଓ । ୧୨ ଘଣ୍ଟା ଭିତରେ ଦେଖିଲେଣି ଶହେ ଲକ୍ଷରୁ ଅଧିକ ଲୋକ । ଆଉ ଭିଡିଓର କମେଣ୍ଟ ତାଲିକା ଦେଖିଲେ ଆଖିପାଉନି । କମେଣ୍ଟରେ ତାଙ୍କୁ କିଛି ଲୋକ ଭଲ ପାଉଛନ୍ତି ତ କିଛି ଲୋକ ସମାଲୋଚନା କରିଛନ୍ତି । ଭିଡିଓଟି ଆଜି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କପିଲ ପୋଷ୍ଟ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି ।

ତେବେ କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏଥର ତାଙ୍କ ଭିଡିଓକୁ ନେଇ କାହିଁକି ଏତେ ଚର୍ଚ୍ଚା ? ଏହାର ଉତ୍ତର ହେଉଛି ଏହି ଭିଡିଓରେ ଓଡ଼ିଶାବାସୀଙ୍କ ପାଇଁ ରହିଛି କିଛି ନିଆରା ମସ୍‌ଲା । ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବାଇକ୍‌ ଧରି ବୁଳୁଛନ୍ତି କପିଲ । କେତେବେଳେ କମିଶନରେଟ ପୋଲିସ ଛକ ତ କେତେବେଳେ ଏୟାରପୋର୍ଟ ଛକ । ଆଉ କେତେବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିଧି ଭିତରେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଚାରିପଟେ ବି ବାଇକ୍‌ ଧରି ମାରୁଛନ୍ତି ଚକ୍କର । ତେଣୁ ଏହି ଭିଡିଓକୁ ନେଇ ଏବେ ପ୍ରବଳ ଚର୍ଚ୍ଚା । କପିଲ ଭିଡିଓଟି ପୋଷ୍ଟ କରି ଲେଖିଛନ୍ତି, ସେ ପାହାନ୍ତା ସମୟରେ ନିଜ ଫେଭରାଇଟ୍ ବାଇକ୍‌ ବୁଲେଟ୍‌ ଧରି ବୁଲଛନ୍ତି ଏବଂ ଖୁବ୍‌ ଅନନ୍ଦ ନେଉଛନ୍ତି । 

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଗଳି କନ୍ଦିରେ କପିଲ ଶର୍ମା ବୁଲୁଥିବାର ନଜର ଆସିଛନ୍ତି । କିନ୍ତୁ ସେତେବେଳେ ତାହା ଥିଲା ଏକ ଫିଲ୍ମ ସୁଟିଂର ସମୟ । ସେହି ଫିଲ୍ମରେ ଜଣେ ହୋମ୍‌ ଡେଲିଭରୀ ବୟ ଭୂମିକାରେ ଅଭିନୟ କରିଛନ୍ତି କପିଲ । ତେଣୁ ଫିଲ୍ମର ସ୍କ୍ରିପ୍ଟ ଅନୁଯାୟୀ ତାଙ୍କୁ ଭୁବନେଶ୍ୱରର ଗଳିକନ୍ଦିରେ ବୁଲି ହୋମ୍‌ ଡେଲିଭରୀ କରୁଥିବା ଦେଖାଯାଇଥିଲା । ଯାହାକୁ ନେଇ ଢ଼େର ଚର୍ଚ୍ଚା ହୋଇଥିଲା ।