ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ବର୍ଷିଆନ ଅଭିନେତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ମନ୍ତ୍ରୀ, ବରିଷ୍ଠ ରାଜନେତା, ବିଶିଷ୍ଟ ବ୍ୟକ୍ତି ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ:ଆଉ ନାହାନ୍ତି ଉତ୍ତମ ମହାନ୍ତି
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକବାର୍ତ୍ତାରେ କହିଛନ୍ତି, ଓଡ଼ିଶାର ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକବ୍ୟକ୍ତ କରି କହିଛନ୍ତି, ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ସେ ଖୁବ୍ ମର୍ମାହତ । ତାଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅନ୍ତ । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା ।
କେନ୍ଦ୍ରମନ୍ତ୍ରୀ ବୈଜୟନ୍ତ ପଣ୍ଡା ଟ୍ବିଟ୍ କରିଛନ୍ତି, ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ରାମାୟଣ, ଫୁଲଚନ୍ଦନ, ସୀତା ପରି ଝିଅଟିଏ ଆଦି ସୁପରହିଟ୍ ଚଳଚ୍ଚିତ୍ର ତାଙ୍କର ଅନନ୍ୟ କୃତି ।
ଓଡ଼ିଆ ଜନମାନସରେ ନିଖୁଣ ଓ ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି । ଓଡ଼ିଶା ଜଣେ ଯୋଗଜନ୍ମାଙ୍କୁ ହରାଇଲା । ସେ ଦୀର୍ଘ ଦିନ ପାଇଁ ଓଡ଼ିଆଙ୍କ ମନରେ ରାଜ କରିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ମଧ୍ୟ ଟ୍ବିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଏବଂ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିରସବୁଜ ନାୟକ ଥିଲେ ଉତ୍ତମ ମହାନ୍ତି । 'ଅଭିମାନ' ଚଳଚ୍ଚିତ୍ରରୁ ଅଭିନୟରେ ପାଦ ଦେଇଥିଲେ । ସେ ୧୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଗତ କିଛି ଦିନ ହେଲା ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଗତ ୬ ତାରିଖରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ପ୍ରଥମେ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଦିଲ୍ଲୀ ଗୁରୁଗାଓଁକୁ ଏୟାରଲିଫ୍ଟ କରାଯାଇଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦୁନିଆକୁ ଅଲବିଦା କହିଛନ୍ତି ଏହି ମହାନାୟକ । ତାଙ୍କର ବିୟୋଗ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟାଇଛି ।