• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟିରେ ଆର୍ୟନ୍‌ ଖାନ୍‌ ଗିରଫ ମାମଲାରେ ହଠାତ୍‌ ଶୁଣିବାକୁ ମିଳିଛି ନୂଆ ଶବ୍ଦ । ଗୋଟିଏ ପଟେ ଆର୍ୟନଙ୍କୁ କୋର୍ଟ ବେଲ୍ ଦେଉନଥିବା ବେଳେ ଦିନ ପରେ ଦିନ ଗଡ଼ିଚାଲିଛି । ଆଉ ଶୁଣାଣି ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି । ୨୩ ବର୍ଷୀୟ ଷ୍ଟାର୍‌ କିଡ୍‌ ଆର୍ୟନ୍‌ ଖାନ୍‌ ଜେଲ୍‌ର ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି ।

ତେବେ ଏହାରି ଭିତରେ ଆର୍ୟନ୍‌ଙ୍କ କେସ୍‌ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତୋଗୀ ଦେଇଛନ୍ତି ଏକ ବିସ୍ଫୋରକ ବୟାନ୍ । ସେ ସିଧାସଳଖ କହିଛନ୍ତି ଶୁଣାଣିକୁ ବନ୍ଦ କରାଯାଉ । ବାରମ୍ବାର ଏଭଳି କୋର୍ଟ ଟ୍ରାଏଲ କରାନଯାଉ ।

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗୀଙ୍କ ଏଭଳି ବୟାନ୍‌ ସମସ୍ତଙ୍କୁ ଆଚମ୍ବିତ କରିଛି । ଆର୍ୟନ୍‌ଙ୍କ ବେଲ୍‌ ପାଇଁ କିଙ୍ଗ୍ ଖାନ୍‌ ଚାତକ ଭଳି ଚାହିଁ ରହିଥିବା ବେଳେ ତାଙ୍କ ଓକିଲ କେମିତି ଏଭଳି କଥା କହିପାରୁଛନ୍ତି । ଯଦି କୋର୍ଟ ଟ୍ରାଏଲ୍‌ ନହେବ ତାହାଲେ ଆର୍ୟନ୍‌ଙ୍କୁ ବେଲ୍‌ ମିଳିବ କେମିତି ? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।

ତେବେ ଶ୍ରୀ ରୋହତୋଗୀ କହିଛନ୍ତି ଯେ, ଅଭିଯୁକ୍ତ ଆର୍ୟନ୍‌ଙ୍କ ବୟସ ମାତ୍ର ୨୩ ବର୍ଷ । ତାଙ୍କର ପରିପକ୍ୱତା ଆସି ନାହିଁ । ତେଣୁ ତାଙ୍କୁ ବାରମ୍ବାର କୋର୍ଟ ଟ୍ରାଏଲର ସମ୍ମୁଖୀନ ହେବାକୁ ନ ଦିଆଯାଉ । ତାଙ୍କୁ ରିହାବ ସେଣ୍ଟରକୁ ପଠାଯାଉ । ସେଠାରେ ତାଙ୍କର ହାବଭାବ ପରିବର୍ତ୍ତନ ହେବ । ଖାଲି ସେତିକି ନୁହେଁ ଆର୍ୟନ୍‌ ଖାନ୍‌ଙ୍କ ବିରୋଧରେ ଏନ୍‌ସିବି ଲଗାଇଥିବା ସମସ୍ତ ଅଭିଯୋଗକୁ ଶ୍ରୀ ରୋହତୋଗୀ ଖଣ୍ଡନ କରିଛନ୍ତି । ଏମିତିକି ଆର୍ୟନ୍‌ ଡ୍ରଗ୍ସ ସେବନ କରିଥିବା ମଧ୍ୟ ପ୍ରମାଣ ନାହିଁ କିମ୍ବା ତାଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇଥିବା ନେଇ କୋର୍ଟଙ୍କ ପାଖରେ ପ୍ରମାଣ ନାହିଁ ବୋଲି ସେ କହିଛନ୍ତି ।

ମେଡିକାଲ ଟେଷ୍ଟରେ ମଧ୍ୟ ଆର୍ୟନ୍‌ ଡ୍ରଗ୍ସ ନେଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏନ୍‌ସିବି ଯେଉଁ ତଥ୍ୟ ଦେଇଛି ସେଥିରେ ଆର୍ୟନ୍‌ଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନାହିଁ । ତେଣୁ ତାଙ୍କୁ ତୁରନ୍ତ ବେଲ୍‌ ମିଳିବା କଥା ବୋଲି ଯୁକ୍ତି ବାଢ଼ିଛନ୍ତି ମୁକୁଲ ରୋହତୋଗୀ ।

ସେପଟେ ଜାମିନ୍ ବିପକ୍ଷରେ ଏନ୍‌ସିବି ପକ୍ଷରୁ ଦୁଇଟି ବଳିଷ୍ଠ ଯୁକ୍ତି ଦର୍ଶାଯାଇଛି । ଅରବାଜ୍‌ଙ୍କ ପାଖରୁ ମିଳିଥିବା ଡ୍ରଗ୍ସ ସମ୍ପର୍କରେ ଆର୍ୟନ ଜାଣିଥିଲେ ଏବଂ ହ୍ୱାଟ୍‌ସଆପ୍‌ରେ ମିଳିଥିବା ଡ୍ରଗ୍ସ ଚାଟ୍ । ଏହି ଦୁଇ ପ୍ରସଙ୍ଗକୁ ନେଇ ଏନ୍‌ସିବି କୋର୍ଟରେ ଯୁକ୍ତି ରଖିଛି । ସେପଟେ ୨୫ କୋଟି ଡିଲ୍ ଅଭିଯୋଗର ତଦନ୍ତ ନେଇ ମୁମ୍ବାଇରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଏନ୍‌ସିବି ଟିମ୍‌ର ୫ ଜଣ ବରିଷ୍ଠ ଅଧିକାରୀ ।