ଭେଟେରାନ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର । ଏହା ସମସ୍ତ ସିନେ ପ୍ରେମୀଙ୍କୁ ଦୁଃଖିତ କରିଛି । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ । କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଅପରପକ୍ଷରେ ପୁଅ ବାବୁସାନ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ।
କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ମନୋଜ ସାହୁଙ୍କ କହିବା ଅନୁସାରେ ''୩ ଦିନ ଧରି ଉତ୍ତମ ମହାନ୍ତି କିମ୍ସରେ ଆଡ଼ମିଶନ ହୋଇଛନ୍ତି । ସେ ଲିଭର ସିରୋସିସ ରୋଗରେ ପୀଡିତ ହୋଇଛନ୍ତି । ଗତକାଲିଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ । ଅଧିକ ଚିକିତ୍ସା ପାଇଁ ପରିବାର ଲୋକ ତାଙ୍କୁ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ଚାହୁଁଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ଏବେ ଅନ୍ୟ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ପାଇଁ ଉପଯୁକ୍ତ ସମୟ ।
Also Read
ଯଥାଶୀଘ୍ର ଏୟାର ଲିଫ୍ଟ ପାଇଁ ଚେଷ୍ଟା କରାଯାଉଛି । ଉତ୍ତମ ମହାନ୍ତିଙ୍କୁ ଗୁରୁଗାଓଁର ଘରୋଇ ହସ୍ପିଟାଲ ମେଦାନ୍ତ ହସ୍ପିଟାଲକୁ ଯଥାଶୀଘ୍ର ଏୟାରଲିଫ୍ଟ କରିବା ପାଇଁ ଚେଷ୍ଟା ଚାଲିଛି । ଏନେଇ ବୁକିଙ୍ଗ ମଧ୍ୟ ସରିଛି । ଅପରପକ୍ଷରେ ଯଥାଶୀଘ୍ର ଏୟାରଲିଫ୍ଟ ପାଇଁ ଉଦ୍ୟମ ହେଉଥିବା ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତି । ଅଭିନେତା ରବି ମିଶ୍ର, ବବି ମିଶ୍ର, ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ହସ୍ପିଟାଲରେ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଦେଖା କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ଉତ୍ତମ ମହାନ୍ତି ୧୯୭୭ ମସିହାରେ 'ଅଭିମାନ' ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଥିଲେ । ତିନିବର୍ଷ ପରେ ପୁଣି 'ପତିପତ୍ନୀ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ଆଗକୁ ଆଗକୁ ମାଡି ଚାଲିଥିଲେ । ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ମହାନ୍ତି ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ତାଙ୍କ ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ ଜଣେ ସୁପ୍ରସିଦ୍ଧ ଅଭିନେତ୍ରୀ ।