• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଏବେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ନିଆଁ ଭଳି ବ୍ୟାପିଲାଣି ଆନ୍ଦୋଳନ । ବିଭିନ୍ନ ଜିଲ୍ଲାରେ ଛାତ୍ରଛାତ୍ରୀ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଥମେ ଭୁବନେଶ୍ୱରରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ପରୀକ୍ଷା ବାତିଲ ପାଇଁ ଦାବି କରିଥିଲେ । ଏହାସହ ସରକାରଙ୍କ ନିଷ୍ପତ୍ତି ବିରୋଧରେ ନାରାବାଜି କରିଥିଲେ ।

ତେବେ ଏହାପରେ ଆନ୍ଦୋଳନ ଆଉ ଭୁବନେଶ୍ୱର ଭିତରେ ସୀମିତ ହୋଇ ରହିନଥିଲା । ରାଜଧାନୀ ଭୁବନେଶ୍ୱର ସହ ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, କୋଣାର୍କ, ସାଲେପୁରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ଭଦ୍ରକ, ଜଗତସିଂହପୁରରେ ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖାଯାଇଛି । ସେହିପରି ସାଲେପୁରରେ ଛାତ୍ରଛାତ୍ରୀମାନେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିକ୍ଷୋଭ ସହ ଶୋଭାଯାତ୍ରା କରିଥିଲେ । 

ସୂଚନାଯୋଗ୍ୟ, କରୋନା ଯୋଗୁଁ ଏବର୍ଷ ବହୁତ ବିଳମ୍ବରେ କଲେଜ ଗୁଡିକ ଖୋଲିଥିଲା । କମ୍ ପାଠପଢା ହୋଇଛି, କୋର୍ସ ସରିନାହିଁ । ତେଣୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ଦାବି କରୁଛନ୍ତି । ଅନ୍‌ଲାଇନ୍‌ରେ ପାଠପଢା ହୋଇଛି, ତେଣୁ ପରୀକ୍ଷା କାହିଁକି ଅଫ୍ଲାଇନ୍‌ରେ ହେବ ବୋଲି ଯୁକ୍ତି ରଖିଛନ୍ତି ଛାତ୍ରଛାତ୍ରୀ ।