• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୪୫ ଏକର ପରିମିତ ଜମିରେ ଛିଡା ହୋଇଛି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ବିଲଡିଂ ପାଇଁ ଖର୍ଚ୍ଚ ହୋଇଛି ଶହ ଶହ କୋଟି, ଏହା ଅଧିନରେ ଚାଲିଛି ୫୦ରୁ ଅଧିକ କଲେଜ୍ । ଖୋଦ୍ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ରହିଛି ୨୧ଟି ବିଭାଗ । କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ୮ ବର୍ଷ ହେଲା ମାତ୍ର ୮ ଜଣ ଷ୍ଟାଫକୁ ନେଇ ଚାଲିଛି ଏହି ବିଶ୍ୱବିଦ୍ୟାଳୟ । ଏ ହେଉଛି ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ । ଏଠାରେ ମୋଟ୍ ୨୯ଟି ଅଧ୍ୟାପକ ପଦବି ପାଇଁ ମଞ୍ଜୁରୀ ମିଳିଥିବା ବେଳେ ଖାଲି ପଡ଼ିଛି ୨୧ ପୋଷ୍ଟ ।

ଫଳରେ ପାଠପଢା ପାଇଁ ନିର୍ଭର କରିବାକୁ ପଡୁଛି ଗେଷ୍ଟ ଫାକଲ୍ଟିଙ୍କ ଉପରେ । ଏପରିକି ଗତ ଏକ ବର୍ଷ ଧରି ହୋଇଥିବା ପରୀକ୍ଷାର ମୂଲ୍ୟାୟନ ହୋଇପାରୁନି। ସେହିପରି ପିଏଚ୍ଡି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଏଣ୍ଟ୍ରାନ୍ସ ଟେଷ୍ଟ ସହ ମୌଖିକ ପରୀକ୍ଷା ମଧ୍ୟ ହୋଇ ସାରିଛି, ହେଲେ କେବେ ଫଳ ପ୍ରକାଶ ପାଇବ କାହାକୁ ଜଣା ନାହିଁ । ବିଶ୍ୱବିଦ୍ୟାଳୟର ଏଭଳି ଅବସ୍ଥା ନେଇ ବାରମ୍ବାର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ହେଲେ ଫଳ ଶୂନ ।

ଏହେଲା କଟକ ର ମଧୁସୂଦନ ଲ ୟୁନିଭର୍ସିଟି। ଯେଉଁଠି ଜଣେ ହେଲେ ଅଧ୍ୟାପକ ନାହାନ୍ତି । ୫୦ରୁ ୫୦ ଟିଚିଂ ପୋଷ୍ଟ ଖାଲି। ବିଧାନସଭାରେେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି । ପ୍ରଶ୍ନ ଉଠୁଛି ଏଠାରେ କେମିତି ଚାଲିଛି ପାଠପଢା? ଅଧ୍ୟାପକ ନଦେଇ କିଭଳି ରାଜ୍ୟ ସରକାର ଘୋଷଣା କରିଦେଲେ ଆଇନ ବିଶ୍ବ ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ଏଠି ପ୍ରତ୍ୟେକ ଦିନ ଗେଷ୍ଟ ଫାକଲ୍ଟିରେ ପାଠପଢା ହେଉଛି । ବର୍ଷ ବର୍ଷ ଧରି ଏଭଳି ଚାଲିଛି ।

ରାଜ୍ୟରେ ଏବେ ୧୮ ଟି ସରକାରୀ ଓ ୬ଟି ବେସରକାରୀ ବିଶ୍ବବିଦ୍ୟାଳୟ ରହିଛି । ସରକାରୀ ବିଶ୍ୱବିଦ୍ୟାଳୟରେ ମୋଟ୍ ୧୭୨୦ ଶିକ୍ଷକ ପଦବି ରହିଥିବା ବେଳେ ସେଥିମଧ୍ୟରୁ ୧ ହଜାର ୫ଟି ପଦବି ଖାଲି ପଡ଼ିଛି। ସେହିଭଳି ୨ ହଜାର ୬୩୯ଟି ଅଣ ଶିକ୍ଷକ ପଦବି ରହିଥିବା ବେଳେ ୧୫ଶହ ୩୪ଟି ଖାଲି ପଡିଛି । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ କିଭଳି ଚାଲିଛି ବିଶ୍ୱବିଦ୍ୟାଳୟସ୍ତରୀୟ ଉଚ୍ଚ ଶିକ୍ଷା । ତେବେ ଏ ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।