/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730389327.jpg)
Computer Education in Odishas 5T Schools
ଗଣ୍ଡା ଗଣ୍ଡା କଂପ୍ୟୁଟର ଅଛି, ହେଲେ ନାହାନ୍ତି କଂପ୍ୟୁଟର ଶିକ୍ଷକ । ଫଳରେ ପିଲାଙ୍କୁ ମିଳିପାରୁନି ବୈଷୟିକ ଶିକ୍ଷା । ଏପରିକି ବ୍ୟବହାର ହେଉନଥିବାରୁ ଖରାପ ହେବା ଅବସ୍ଥାକୁ ଆସିଲାଣି ଶହ ଶହ କଂପ୍ୟୁଟର । ଏ ସ୍ଥିତି ଗୋଟିଏ କି ଦୁଇଟି ସ୍କୁଲରେ ନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସବୁ 5T ସ୍କୁଲର ।
ସ୍କୁଲର କମ୍ପ୍ୟୁଟର କ୍ଲାସରେ ପ୍ରସ୍ତୁତ ହୋଇ ରହିଛି କଂପ୍ୟୁଟର । ଭିତ୍ତିଭୂମି ବି ପ୍ରସ୍ତୁତ । ବୈଷୟିକ ଶିକ୍ଷା ଲାଗି ଛାତ୍ରଛାତ୍ରୀ ବି ବେଶ୍ ଆଗ୍ରହୀ ଅଛନ୍ତି । କିନ୍ତୁ କମ୍ପ୍ୟୁଟର ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ । ଉପାନ୍ତ କୋରାପୁଟ ଜିଲ୍ଲାରେ ପ୍ରାୟ ସବୁ 5T ହାଇସ୍କୁଲରେ ଏମିତି ଅବସ୍ଥା ଦେଖିବାକୁ ମିଳିଛି । ଲମତାପୁଟ ବ୍ଲକ୍ ଗୋଡ଼ିହଂଜର ସ୍କୁଲ, ଏଠାରେ କମ୍ପ୍ୟୁଟର କ୍ଲାସ ରୁମରେ ୮ଟି କମ୍ପୁଟର ପ୍ରସ୍ତୁତ ଅଛି । କିନ୍ତୁ ଆଜି ଯାଏଁ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି । ଯାହାଫଳରେ ଗଣିତ, ବିଜ୍ଞାନ ଓ ଖେଳ ଶିକ୍ଷକ ପିଲାଙ୍କୁ କାମଚଳା ଭାବେ ପାଠ ପଢାଉଛନ୍ତି ।
ତଥ୍ୟ ଅନୁସାରେ ଲମତାପୁଟ ବ୍ଲକରେ ୧୭ଟି ସ୍କୁଲକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । କିନ୍ତୁ ବିଡ଼ମ୍ବନା ଗୋଟିଏ ହେଲେ ସ୍କୁଲରେ ନାହାନ୍ତି ଜଣେ ମାତ୍ର କମ୍ପ୍ୟୁଟର ଶିକ୍ଷକ । ସେହିଭଳି ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ବହୁ 5T ସ୍କୁଲରେ ଅନୁରୂପ ଅବସ୍ଥା । ଶିକ୍ଷକ ଅଭାବରୁ ପ୍ରାୟ ବର୍ଷେ ହେବ ଅନେକ ସ୍କୁଲରେ କମ୍ପ୍ୟୁଟର ଏଯାଏଁ ଖୋଲାଯାଇନି।
ଏପଟେ ଉପାନ୍ତ ମାଲକାନଗିରି ଜିଲ୍ଲାର ପ୍ରାୟ ସବୁ 5T ସ୍କୁଲରେ ବି ସମାନ ସ୍ଥିତି । ଏଠି ସ୍କୁଲର କୋଠା ଓ ଶ୍ରେଣୀଗୃହକୁ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଚକାକଚ୍ କରାଯିବା ପରେ ୨୦୨୩ରେ ପ୍ରାୟ ସବୁ ସ୍କୁଲକୁ ମିଳିଥିଲା ୮ରୁ ୧୦ଟି ଲେଖାଏଁ କମ୍ପ୍ୟୁଟର । କିନ୍ତୁ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କଥାକୁ ଭୁଲି ଯାଇଥିଲେ ତତ୍କାଳୀନ ସରକାର । ଯାହାର ଫଳସୂରୂପ ଚିତ୍ରକୋଣ୍ଡା ପଞ୍ଚାୟତରେ ଥିବା ଏ ସରକାରୀ ଆବାସିକ ସ୍କୁଲର ୧୦ଟି କମ୍ପ୍ୟୁଟର ଆଜି ପର୍ଯ୍ୟନ୍ତ ଅନ୍ ହୋଇନଥିବା ଦେଖିବାକୁ ମିଳିଛି ।
ସେହିଭଳି ନବରଙ୍ଗପୁର ଜିଲ୍ଲାରେ ବି କଂପ୍ୟୁଟର ଶିକ୍ଷକ ନିଯୁକ୍ତିରେ ମରୁଡ଼ି । ତେଣୁ ପିଲାଙ୍କ ବୈଷୟିକ ଶିକ୍ଷା ପାଇଁ ଏ ବ୍ୟୟବହୁଳ ଭିତ୍ତିଭୂମି ଥିଲେ ବି କାମଚଳା ଶିକ୍ଷକଙ୍କ ପାଇଁ ଠିକରେ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ପିଲା । ତେଣୁ ତତ୍କାଳୀନ ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି ?
ସେପଟେ 5T ନାଁରେ ତରବରରେ କମ୍ପୁଟର କିଣାରେ ଦୁର୍ନୀତିର ଅଭିଯୋଗ ଆସିଥିବାରୁ ଏହାର ତଦନ୍ତ ସହ ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)