• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲ ପରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କମିଲା ଚଳିତ ବର୍ଷର ଖରା ଛୁଟି । ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ୍ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟିକୁ କମାଯାଇଛି । ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।

ସେପଟେ ଚଳିତ ବର୍ଷ ସ୍କୁଲ୍‌ ଗୁଡ଼ିକରେ ଦେଢ ମାସ ପରିବର୍ତ୍ତେ ମାତ୍ର ୧୧ ଦିନ ହେବ ଖରାଛୁଟି । ଜୁନ୍ ୬ରୁ ୧୬ ଯାଏ ଖରାଛୁଟି ହେବ । ଖରାକୁ ଦୃଷ୍ଟିରେ ରଖି ମେ ୧ରୁ ଜୁନ୍ ୫ଯାଏ ସକାଳ ୬ରୁ ୯ଟା ଯାଏ କ୍ଲାସ୍ ହେବ । ଅନ୍ୟପକ୍ଷରେ ନୂଆ କୋର୍ସ ସହ ପିଲାଙ୍କୁ ଦୁଇ ବର୍ଷର ପୁରୁଣା ପାଠ ବି ପଢାଯିବ । କାରଣ ଗତ ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା କରୋନା ଲାଗି କ୍ଷତିଗ୍ରସ୍ତ ହୋଇଛନ୍ତି ।

ସେହିପରି ୨୦ ଏପ୍ରିଲ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ କ୍ଲାସ୍ ପ୍ରମୋସନ ଦିଆଯିବ । ୨୦ରୁ ୩୦ ଏପ୍ରିଲ ଭିତରେ ପ୍ରଥମରୁ ନବମ ପିଲାଙ୍କ ଲାଗି ଆଡମିଶନ ପ୍ରକ୍ରିୟା ଶେଷ ହେବ । ୧୦ ମେ’ ସୁଦ୍ଧା ନବମ ପିଲାଙ୍କ ପରୀକ୍ଷା କରାଯାଇ ଦଶମକୁ ଉନ୍ନୀତ କରାଯିବ ।

ଅନ୍ୟପଟେ କରୋନା ମିଟର ନିୟନ୍ତ୍ରଣକୁ ଆସିବା ପରେ ସିବିଏସ୍ଇ ଆସନ୍ତା ବର୍ଷ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ମହାମାରୀ ପୂର୍ବ ବର୍ଷ ଗୁଡିକରେ ଯେଭଳି ହେଉଥିଲା ସେପରି କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ ବର୍ଷକୁ ଦୁଇଟି ଟର୍ମ ପରୀକ୍ଷା ବଦଳରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଯାହାକି ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଗଢିବାରେ ସହାୟକ ହେବ ।

ସେପଟେ ରାଜ୍ୟ ବୋର୍ଡ ବି ସମାନ ରାସ୍ତାରେ ଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମହାମାରୀର ପ୍ରଭାବ ନଥିବାରୁ ଆମେ ସେଦିଗରେ ଚିନ୍ତା କରୁଛୁ । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ସେପଟେ ଗୋଟିଏ ବୋର୍ଡ ପରୀକ୍ଷା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସିବିଏସ୍ଇ ସ୍କୁଲ୍ ଓ ଛାତ୍ରଛାତ୍ରୀ ।