• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାର୍‌ ଯାଇଛନ୍ତି ଛୁଟିରେ...୩ ଦିନ ବନ୍ଦ ରହିବ ସ୍କୁଲ । ଆଜ୍ଞା ଏ କଥା ଆମେ କହୁନୁ, ସ୍କୁଲ ଫାଟକର କାନ୍ଥରେ ଲଗାଯାଇଥିବା ବିଜ୍ଞାପନ କହୁଛି । ବଡ଼ ବଡ଼ ଅକ୍ଷରରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସ୍ପଷ୍ଟ ଭାବେ ଲେଖାଯାଇଛି....

ଏତଦ୍‌ ଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇ ଦିଆଯାଉଛି ଯେ, ବିଦ୍ୟାଳୟର ସମସ୍ତ ଦୁଇଜଣ ଶିକ୍ଷକ ଛୁଟିରେ ଅନୁପସ୍ଥିତ ରହିବା ଯୋଗୁ ଆସନ୍ତା ତା’ ୭-୮-୨୦୨୪ ତାରିଖ ଠାରୁ ୯-୮-୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଶିକ୍ଷାଦାନ ବନ୍ଦ ରହିବ । ପୁନଃ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟକ୍ରମ ଆସନ୍ତା ୧୦-୮-୨୦୨୪ ତାରିଖଠାରୁ ଯଥାରୀତି ଚାଲୁ ରହିବ । ଉକ୍ତ ଛୁଟିଦିନ ଗୁଡ଼ିକରେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇପାରିବେ ।

ଏଭଳି ନିର୍ଦ୍ଦେଶ ହୁଏତ ଆପଣଙ୍କ କାନ ଉଠିବା ଦିନଠୁ ଶୁଣିନଥିବେ । ଯାହା ଆପଣ ଦେଖୁଛନ୍ତି ଆଉ ଶୁଣୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଭଳି ନିୟମ କେବେଠାରୁ ସରକାର ଓ ଶିକ୍ଷା ବିଭାଗ କଲେଣି ତାହା କାହାକୁ ବି ଜଣାନାହିଁ ।

ଏପରି ଘଟଣା ଘଟିଛି ଜୟପୁର ସହରର ଜଳସେଚନ ବିଭାଗର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ । ଯାହାକୁ ଆମେମାନେ ହାଇସ୍କୁଲ ବୋଲି କୁହନ୍ତି । କିନ୍ତୁ ଏ ସ୍କୁଲଟି ଏବେ ଖାଲି ହାଇସ୍କୁଲ ହୋଇନାହିଁ, ୫ଟି ସ୍କୁଲରେ ରୂପାନ୍ତରୀକରଣ ମଧ୍ୟ ହୋଇସାରିଛି । ଏହି ସ୍କୁଲ ୧୯୮୭ ମସିହାର ଅର୍ଥାତ୍‌ ସର୍ବପୁରାତନ ବିଦ୍ୟାଳୟ । ଵର୍ତ୍ତମାନ ଏଠାରେ ପଞ୍ଚମରୁ ଦଶମ ପର୍ଯ୍ୟନ୍ତ ୨୩୧ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । ହେଲେ ସେମାନଙ୍କ ପାଇଁ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ । ଆଉ ଦୁଇଜଣ ଶିକ୍ଷକ ଛୁଟି ନେବା ପରେ ଏମିତି ଏଠି ପରିସ୍ଥିତି ହୁଏ ।

୫ଟି କ୍ଲାସରେ ଏଠି ମୋଟ୍‌ ୨୩୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକ ଥିବାରୁ ପାଠପଢ଼ା ମଧ୍ୟ ସଠିକ୍‌ ଭାବେ ହୋଇପାରୁନାହିଁ । ଆଉ ଏହି ବିଜ୍ଞାପନର ଖବର ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ବିଭାଗ ଚେତିଛି । ତରବରିଆ ଭାବେ ବ୍ଲକ ଶିକ୍ଷା ଅଧିକାରୀ ଦୁଇ ଜଣ ଶିକ୍ଷକଙ୍କୁ ୩ ଦିନ ପାଇଁ ଏହି ସ୍କୁଲକୁ ଡେପୁଟେଶନରେ ପଠାଇଛନ୍ତି । ଫଳରେ ପାଠପଢ଼ା ଚାଲୁ ରହିଛି ।

  • Reported by:
  • T GOURISHANKAR

OTV is now on Whatsapp

Join and get latest news update delivered to you via whatsapp

Join Now