• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଟ୍ରିକ୍‌ ପରୀକ୍ଷା ଦେଇ ଖାତାକୁ ଘରକୁ ନେଇଗଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଜଣେ ଛାତ୍ରୀ ପରୀକ୍ଷା ସମୟରେ ନିଜର ଉତ୍ତର ଖାତା ଘରକୁ ନେଇଯାଇଥିବାର ସୂଚନା ମିଳିଛି । 

ଛାତ୍ରୀ ଜଣକ ହେଉଛନ୍ତି ରାଣୀ ମଳିକ । ଜାମୁଝାଡିରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲେ । ସେଠାରେ ପରୀକ୍ଷା ଦେଉଥିବା ବେଳେ ଗଣିତ ପରୀକ୍ଷା ଦିନ ସେ ତାଙ୍କର ଘରକୁ ଖାତା ନେଇଯାଇଥିଲେ । ପରେ ସେହି ଉତ୍ତର ଖାତାକୁ ଘରେ ରଖିଦେଇଥିଲେ । ଯେତେବେଳେ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ ହେଲା, ସେତେବେଳେ ଏହି କଥା ସାମ୍ନାକୁ ଆସିଥିଲା ।

ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଦେଇଥିବା ଗଣିତ ପରୀକ୍ଷା ଖାତା କଟକ ଜିଲ୍ଲା ସାଲେପୁରକୁ ଯାଇଥିଲା । ସେଠାରେ ଛାତ୍ରୀଙ୍କର ଦସ୍ତଖତ ଥିବା ବେଳେ ଖାତା ନଥିବାରୁ ସନ୍ଦେହ ଦେଖାଦେଇଥିଲା । ତେଣୁ ସେଠାକାର ଶିକ୍ଷକ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବା ପରେ ଜଣେ ଛାତ୍ରୀ ଘରକୁ ଖାତା ନେଇଯାଇଥିବାର ଜଣାପଡ଼ିଥିଲା । ତେବେ ଦାମୋଦର ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ୨୦ ଦିନ ପରେ ଛାତ୍ରୀଙ୍କ ନିକଟରୁ ଉତ୍ତର ଖାତା ଆଣିଥିଲେ ।

ସ୍କୁଲର ଛାତ୍ରୀ ଜଣକ ଖାତାଟିକୁ ଅଜାଣତରେ ଆଣିଥିବା ବେଳେ ସୁପେରିଟେଣ୍ଡେଣ୍ଟ ଏଭଳି କୌଣସି  ଘଟଣା ଘଟିନଥିବା କହିଛନ୍ତି । ତେବେ ଏହି ବାବଦରେ ସ୍କୁଲର ସଭାପତି ଅଭିଯୋଗ କରିବା ପରେ ସବୁ ତଥ୍ୟ ସର୍ବସମ୍ମୁଖକୁ ଆସିଥିଲା । ତେବେ ତାଙ୍କର ଅଭିଯୋଗ ଅନୁସାରେ ପରୀକ୍ଷାରେ ସ୍ୱଚ୍ଛତା ନଥିବା ବେଳେ କେମିତି ଶିକ୍ଷକଙ୍କର ଏମିତି ଅବହେଳା ହେଲା ତାହା ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ପରୀକ୍ଷା ସମୟରେ ଶିକ୍ଷକ ଖାତା ଗୁଡିକୁ ଗଣି ନେବା କଥା କିନ୍ତୁ କେମିତି ଖାତା ନଗଣି ନେଲେ, ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସରକାର ମାଟ୍ରିକ୍‌ ପରୀକ୍ଷା ସ୍ୱଚ୍ଛତାକୁ ନେଇ ଡେଙ୍ଗୁରା ବାଡାଉଥିବା ବେଳେ ଏଭଳି ଘଟଣା ଏବେ ସରକାରଙ୍କ ଉପରେ ପ୍ରଶ୍ନ ଠିଆ କରିଛି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • Niranjan Behera