• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗର ଭର୍ତ୍ସନା । ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ । ଏହା ସହ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବିଭାଗ ପରାମର୍ଶ ଦେଇଛି ଯେ, ସ୍ମାର୍ଟ୍ କ୍ଲାସ ରୁମ୍ ନାଁରେ ଅଯଥା ଅର୍ଥ ବର୍ବାଦ ନକରନ୍ତୁ । କାହିଁକି ନା ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ସ୍ମାର୍ଟ୍ କ୍ଲାସ ରୁମ୍‌ର ବିଶେଷ ଭୂମିକା ନାହିଁ । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକରା ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସ୍ମାର୍ଟ କ୍ଲାସ ରୁମ୍ ସ୍ଥାପନ ଓ ଏହା ପାଇଁ ଆବଶ୍ୟକ ଉପକରଣ କ୍ରୟ କରିବା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟାପାର କହି ପାଣ୍ଠି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପାଖରେ ବହୁ ପରିମାଣର ଅର୍ଥ ସଂଚିତ ହୋଇ ରହିଥିବାରୁ ସେହି ପାଣ୍ଠିରୁ ସ୍ମାର୍ଟ କ୍ଲାସ ବାବଦ ବ୍ୟୟ କରାଯିବା ଉଚିତ୍ । ଏଥିପାଇଁ ରାଜ୍ୟ ସରକାର କୌଣସି ପାଣ୍ଠି ଦେଇପାରିବେ ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

ଏହାସହିିତ ବିଭାଗ କହିଛି ଯେ, ସ୍ମାର୍ଟ କ୍ଲାସ ରୁମ୍ ସ୍ଥାପନ କରିବାରେ ଯେହେତୁ ଅଧିକ ଅର୍ଥ ବ୍ୟୟ ହେବ, ତେଣୁ ଅନାବଶ୍ୟକ ଖର୍ଚ୍ଚରୁ ବିରତ ରହିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁୁ ସରକାର ପରାମର୍ଶ ଦେଇଛନ୍ତି । ଆଉ ସ୍ମାର୍ଟ କ୍ଲାସ ରୁମ୍ ସ୍ଥାପନ ଆଳରେ ଏଭଳି ସୁବିଧା ଓ ପ୍ରାବଧାନ ସୃଷ୍ଟି ନିମନ୍ତେ ଅର୍ଥ ବ୍ୟୟ କରାଯିବା ଅନୁଚିତ୍ ଯାହାକି ଶିକ୍ଷାଦାନ ପ୍ରକ୍ରିୟାରେ ବିଶେଷ ଉପଯୋଗ ନହେବ ବୋଲି ବିଭାଗ କହିଛି ।

ଉଲ୍ଲେଖଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଗତ ଏପ୍ରିଲ ୨୨ ତାରିଖରେ ସ୍ମାର୍ଟ କ୍ଲାସ ରୁମ୍ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।