/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663680899.jpg)
Education System
ଗୋଟିଏ ଶ୍ରେଣୀରେ ବସି ବିଭିନ୍ନ ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଗୋଟିଏ କୋଠରୀରେ ଗୋଟିଏ କି ଦୁଇଟି ନୁହେଁ ବରଂ ତିନୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ଏହି ସରକାରୀ ସ୍କୁଲରେ ଖାଲି କୋଠରୀ ଅଭାବ ତାହା ନୁହେଁ, ଏଠାରେ ପଢାଉଥିବା ଶିକ୍ଷକଙ୍କ କଥା ଯଦି ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିଂହଝର ପ୍ରାଥମିକ ବିଦ୍ୟାଳୟରେ । ଯେଉଁଠି ଭଡା ଶିକ୍ଷକରେ ଚାଳିଛି ପାଠପଢା । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯୦ ଜଣ ପିଲା ଏଇ ସ୍କୁଲରେ ପାଠ ପଢୁଛନ୍ତି । ହେଲେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ରହିଛି ମାତ୍ର ୨ । ସିଏ ପୁଣି ଭଡାରେ ।
ଆପଣ ବି ଥରେ ଚିନ୍ତା କରନ୍ତୁ କେମିତି ପାଠ ପଢା ହେଉଥିବ ଏଇ ସ୍କୁଲରେ ? ସ୍ଥିତି ଏମିତି ହେଉଛି ଯେ ଏକା ସାଙ୍ଗରେ ଦୁଇ ଦୁଇଟି ଶ୍ରେଣୀର ପିଲାଙ୍କୁ ଜଣିଏ ମାତ୍ର ଶିକ୍ଷକ ପଢାଉଛନ୍ତି ପାଠ ।
ଏମିତି ପରିବେଶରେ ପାଠ ପଢାଯାଉଥିବାରୁ କୁନି କୁନି ପିଲାମାନେ ପାଠ କିଛି ବୁଝିପାରୁନଥିବା କହିଛନ୍ତି । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ପାଇଁ ଅବିଭାବକମାନେ ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇ ଥିଲେ ବି କୌଣସି ସୁଫଳ ମିଳୁନି । ଯେଉଁଥିପାଇଁ କଅଁଳ କଢିଙ୍କ ଭବିଷ୍ୟତକୁ ନଜରରେ ରଖି ଗାଁର ବବ୍ରୁବାହାନ ନାଏକ ନାମକ ଜଣେ ଯୁବକଙ୍କ ହାତରେ ଏଇ ପିଲାଙ୍କ ଭାଗ୍ୟକୁ ଛାଡିଛନ୍ତି ଗାଁ ଲୋକ । ଗାଁ ପିଲାଙ୍କୁ ମଣିଷ କରିବା ପାଇଁ ବବ୍ରୁବାହାନ ପ୍ରତିଦିନ ସକାଳ ୧୦ଟାରେ ଆସି ସନ୍ଧ୍ୟା ୪ଟାରେ ଘରକୁ ବି ଯାଉଛନ୍ତି ।
ତେବେ ଭଡା ଶିକ୍ଷକ ବ୍ୟବସ୍ଥା ସଂପର୍କରେ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଶିକ୍ଷକ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି ।
(ରିପୋର୍ଟ-ମାୟାଧର ସରାଫ,ନୂଆପଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)