• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ସ୍କୁଲ୍‌ରେ କମିବ ଗ୍ରୀଷ୍ମ ଛୁଟି । ଦେଢ ମାସ ପରିବର୍ତ୍ତେ ମାତ୍ର ୧୦ ଦିନ ହୋଇପାରେ ଖରାଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି । ମେ’ରୁ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରେ ପୂର୍ବ ପାଠକୁ ଅଧିକ ଗୁରୁତ୍ୱ ଦିଆଯିବ ।

ନୂଆ କ୍ଲାସ୍‌ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି । ପିଲା ଯେଭଳି ପଛେଇ ନଯାଆନ୍ତି ସେଥିଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେ‘ ୬ରୁ ୧୬ ଯାଏ ଖରାଛୁଟି ହୋଇପାରେ । ତାପରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ବିଭାଗ ସ୍ଥିର କରିଛି ।

ପୂର୍ବରୁ ଖରାଛୁଟି ପ୍ରାୟ ଦେଢ଼ ମାସ ହେଉଥିଲା । ତେବେ ମହାମାରୀ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପିଲାଙ୍କୁ ଦକ୍ଷ କରିବା ଲାଗି ଖରାଛୁଟିକୁ କମାଇବାକୁ ସରକାର ଚିନ୍ତା କରୁଛନ୍ତି । ଏହାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । ତେବେ ଶିକ୍ଷାବିତଙ୍କ ମତ ହେଲା ଖରାଛୁଟି ବଦଳରେ କେବଳ କ୍ଲାସ୍ ଖୋଲିଲେ ହେବନି ପିଲାଙ୍କୁ ସଠିକ୍ ଶିକ୍ଷାଦାନ ମିଳିବା ଉଚିତ ।

ସେପଟେ ଖରାଛୁଟି କମାଇବା ଯୋଜନାକୁ ନେଇ ଆପତ୍ତି ଉଠାଇଛି ଅଭିଭାବକ ସଂଘ । ଯୁକ୍ତି ହେଲା, ଖରା ଦିନକୁ ଦିନ ବଢୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀ କିପରି ସ୍କୁଲ୍ ଯିବେ ? ଅନ୍ୟପଟେ ସରକାର ଏଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କ ପରୀକ୍ଷା ହେବ ନା ନାହିଁ ସେନେଇ ସ୍ପଷ୍ଟ କରିନାହାଁନ୍ତି । ଯେଉଁଥିଲାଗି ଘରୋଇ ସ୍କୁଲ୍ ଅପେକ୍ଷା ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ । ସରକାରୀ ସ୍କୁଲ୍‌ରେ ଆଡମିଶନ ବି ଏଯାଏ ଆରମ୍ଭ ହୋଇନି । ଘରୋଇ ସ୍କୁଲ୍‌ରୁ ଯେପରି ଛାତ୍ରଛାତ୍ରୀ ସରକାରୀ ସ୍କୁଲ୍‌କୁ ନଆସନ୍ତୁ ସେଥିଲାଗି ଜାଣିଶୁଣି ଏଭଳି ବିଳମ୍ବ କରାଯାଉଥିବା ଅଭିଯୋଗ ଆଣିଛି ଅଭିଭାବକ ସଂଘ ।