/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651503788.jpg)
Summer Vacation
କୋଭିଡ୍ ମହାମାରୀ କାରଣରୁ ପିଲା ଦୁଇ ବର୍ଷ ପାଠପଢାରୁ ବଞ୍ଚିତ ହୋଇଥିଲେ । ତେଣୁ ଗ୍ରୀଷ୍ମ ଛୁଟିକୁ କମ୍ କରି ଶିକ୍ଷାବର୍ଷ ଆରମ୍ଭରୁ ପୁରୁଣା ପାଠ ପଠାଇବାକୁ ହୋଇଥିଲା ନିଷ୍ପତ୍ତି । ଏଥିପାଇଁ ଗଣଶିକ୍ଷା ବିଭାଗ ଲର୍ଣ୍ଣିଂ ରିକଭରି ପ୍ଲାନ୍ ପ୍ରସ୍ତୁତ କରିଥିଲା । ବ୍ରିଜ୍ କୋର୍ସ ମାଧ୍ୟମରେ ପୂର୍ବ ବର୍ଷର ପାଠ ପଢାଇବାକୁ ସ୍ଥିର ହୋଇଥିଲା । ତେବେ ଏହି ବ୍ୟବସ୍ଥା କେବଳ ଲୋକ ଦେଖାଣିଆ ନା ଏହା ପଛରେ ଆନ୍ତରିକତା ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ପୂର୍ବ ଘୋଷଣା ମୁତାବକ ପୁଣି ସ୍କୁଲ ତ ଖୋଲିଛି, ସକାଳ ୬ଟାରୁ ୯ଟା ଯାଏଁ କ୍ଲାସ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି । ତେବେ ଏଯାଏଁ ବ୍ରିଜ୍ କୋର୍ସ ବହି ପିଲାଙ୍କୁ ମିଳିନାହିଁ । ସେହିପରି ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ ।
ଲର୍ଣ୍ଣିଂ ରିକଭରି ପ୍ଲାନ୍ରେ କେଉଁ ବହିରୁ କେତେ କୋର୍ସ ପଢାଯିବ ଦୁଇ ଦିନ ତଳେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ତାଲିକା ଦେଇଛି ଓଡିଶା ସ୍କୁଲ୍ ଏଜୁକେସନ୍ କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) । ମହାମାରୀ ପାଇଁ ଗତ ବର୍ଷ ଆରମ୍ଭ ହୋଇଥିବା ଲର୍ଣ୍ଣିଂ ଏନ୍ହାନ୍ସମେଣ୍ଟ ପ୍ରୋଗ୍ରାମ୍ ଅନ୍ତର୍ଗତ ପଢାଇବାକୁ କୁହାଯାଇଛି । ତେବେ ଆଜି ସ୍କୁଲ ଖୋଲିବା ପରେ ସେହି ପୁରୁଣା ବହିରୁ ପାଠ ପଢାଯାଇଛି ।
ପିଲାଙ୍କ ପାଢପଢାରେ ସରକାରଙ୍କ ଖାମଖିଆଲ ନୀତିକୁ ନେଇ ଅଭିଭାବକ ମହଲରେ ତେଜୁଛି ଅସନ୍ତୋଷ । ସ୍ୱତନ୍ତ୍ର ପୁସ୍ତକ କାହିଁକି ପ୍ରସ୍ତୁତ ହୋଇପାରିଲାନି ବୋଲି ଜାଣିବାକୁ ଚାହିଁଛନ୍ତି ଅଭିଭାବକ । ଗତକାଲି ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, ପିଲାଙ୍କ ପାଇଁ ହିଟ୍ ୱେଭ ରିସ୍କ ନାହିଁ । ଯାହାକୁ ଅଭିଭାବକ ସଂଘ ନାପସନ୍ଦ କରିଛି । ଯଦି ପିଲାଙ୍କୁ ହିଟ୍ ୱେଭ୍ ରିସ୍କ ନାହିଁ ତେବେ ସ୍ୱାଭାବିକ କ୍ଲାସ ହେଉ ବୋଲି ସଂଘ ଯୁକ୍ତି ରଖିଛି ।
ତେଣେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟଗୁଡିକ ମେ’ ମାସରେ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଜୁନ୍ ୬ରୁ ୧୬ ଯାଏ ଖରାଛୁଟି ଘୋଷଣା କରିଛନ୍ତି । ଏହାସତ୍ତ୍ୱେ ଦୂରଦର୍ଶିତା ଅଭାବ କାରଣରୁ ଗ୍ରୀଷ୍ମ ଛୁଟି ସମୟ ପରିବର୍ତ୍ତନ କରିଥିଲେ ମଧ୍ୟ ପାଠପଢା ହୋଇପାରିବା ନେଇ ସନ୍ଦେହ ଦେଖାଦେଇଛି । ଏପଟେ ଖରାଛୁଟିକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦ ପରେ ସରକାର ଜୁନ୍ ବଦଳରେ ମେ’ ୧୭ରୁ ୩୧ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରିପାରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)