Advertisment

ରାଜ୍ୟରେ ୟୁନିଭର୍ସିଟି ଶିକ୍ଷାରେ ଅଚଳାବସ୍ଥା; ୧୭ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ୬୦ ପ୍ରତିଶତ ପଦ...

ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ଏବେ ୬୦% ପ୍ରାଧ୍ୟାପକ ବା ପ୍ରଫେସର ପଦ ଖାଲି ପଡ଼ିଥିବାବେଳେ ୬୬% ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବିଧାନସଭାରେ ଚଳିତ ବର୍ଷ ଫେବ୍ରୁଆରୀ ୭ ତାରିଖରେ ଏକଥା ସ୍ବୀକାର ବି କରିଛନ୍ତି ରାଜ୍ୟ ସରକାର।

author-image
Sujit kumar Swain
undefined

Situation of Education System in Odisha

ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ପରଠୁ ରାଜ୍ୟ ୟୁନିଭର୍ସିଟି ଶିକ୍ଷାରେ ଅଚଳାବସ୍ଥା। ୧୭ ବିଶ୍ବବିଦ୍ୟାଳୟରେ ୪ ବର୍ଷ ଧରି ଖାଲି ପଡ଼ିଛି ୬୦ ପ୍ରତିଶତ ପ୍ରଫେସର ପଦ। ଏମିତିକି ବିକ୍ରମ ଦେବ ୟୁନିଭର୍ସିଟିରେ ୧୧ ମଂଜୁରୀପ୍ରାପ୍ତ ପଦବୀ ସ୍ଥାନରେ ଅଛନ୍ତି ମାତ୍ର ୨୬ ଟିଚିଂ ଷ୍ଟାଫ୍। ରାଜ୍ୟ ଉଚ୍ଚଶିକ୍ଷାରେ କାହିଁକି ଏଭଳି ସ୍ଥିତି ଜାଣନ୍ତୁ... 

Advertisment

ଅଚଳ ବିଶ୍ବବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା। ଜ୍ବଳନ୍ତ ଉଦାହରଣ- ୨୦୨୩ରେ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ପରିଣତ କୋରାପୁଟର ବିକ୍ରମ ଦେବ ମହାବିଦ୍ୟାଳୟ। ବିଶ୍ବବିଦ୍ୟାଳୟ ଘୋଷଣାର ବର୍ଷକ ପରେ ଏଠି ଫଳକ ତ ବଦଳିଛି କିନ୍ତୁ ପାଠପଢ଼ା ଅତି ଦୟନୀୟ। ବିଶ୍ବବିଦ୍ୟାଳୟରେ ଆବଶ୍ୟକ ଟିଚିଂ ଷ୍ଟାଫ୍ଙ୍କ ସଂଖ୍ୟା ୧୧୧  ହେଲେ, ପାଠ ପଢ଼ାଇବାକୁ ଅଛନ୍ତି ମାତ୍ର ୨୬ । ଖାଲି ପଡ଼ିଛି ୮୫ ପଦବୀ। ଆନ୍ଥ୍ରୋପୋଲଜି, ଏଜୁକେସନ୍, ଭୁଗୋଳ ଆଦି ବିଷୟରେ ତ ଜଣେ ବି ଅଧ୍ୟାପକ ନାହାନ୍ତି। ସେମିତି ଫକୀର ମୋହନ ବିଶ୍ବବିଦ୍ୟାଳୟରେ ମଜୁରୀପ୍ରାପ୍ତ ୧୧୭  ପଦବୀ ସ୍ଥାନରେ ମାତ୍ର ୬୮ ଜଣ ଟିଚିଂ ଷ୍ଟାଫରେ ଚାଲିଛି ପାଠପଢ଼ା।

ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ଏବେ ୬୦% ପ୍ରାଧ୍ୟାପକ ବା ପ୍ରଫେସର ପଦ ଖାଲି ପଡ଼ିଥିବାବେଳେ ୬୬% ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବିଧାନସଭାରେ ଚଳିତ ବର୍ଷ ଫେବ୍ରୁଆରୀ ୭ ତାରିଖରେ ଏକଥା ସ୍ବୀକାର ବି କରିଛନ୍ତି ରାଜ୍ୟ ସରକାର। ଯେମତିକି ଉତ୍କଳ ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସରଙ୍କୁ ମିଶାଇ ୨୪୪ଟି ମଂଜୁରୀପ୍ରାପ୍ତ ପଦ ଥିବାବେଳେ ଏବେ ମାତ୍ର ୧୨୫ ଜଣରେ କାମ ଚାଲିଛି। ଅର୍ଥାତ୍ ପ୍ରାୟ ଅଧା ପ୍ରାଧ୍ୟାପକ ପଦ ଖାଲିପଡ଼ିଛି। ସ୍ଥାୟୀ ପ୍ରାଧ୍ୟାପକ ପଦ ଖାଲିପଡ଼ିବାରୁ ୟୁଜିସି ଅନୁଦାନରେ ପରିଚାଳିତ ଅନେକ ବିଭାଗରେ ଆଡଭାନସ ସେଣ୍ଟର ମଧ୍ୟ ବନ୍ଦ ହୋଇଯାଇଛି। ଏହି କେନ୍ଦ୍ରଗୁଡ଼ିକ ପାଇଁ ପ୍ରଫେସର ନଥିବାରୁ ଦୁଇ ବର୍ଷ ହେଲା ରିସର୍ଚ୍ଚ ଫେଲୋ ନିଯୁକ୍ତି ବି ବନ୍ଦ ହୋଇଯାଇଛି। ତାର କାରଣ- ୨୦୨୦ରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନକୁ ସଂଶୋଧନ କରିବା ପରେ କିଛି ଅସଂଗତିକୁ ଦେଖି ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ତେଣୁ ସରକାର ଏଭଳି ବିବାଦୀୟ ଆଇନକୁ ଛାଡ଼ି ୧୯୮୯ରୁ ପ୍ରଚଳିତ ବିଶ୍ବବିଦ୍ୟାଳୟ ଆଇନ ଅନୁସାରେ ନିଯୁକ୍ତି ଦେଲେ ସମସ୍ୟା ସମାଧାନ ହୁଅନ୍ତା ବୋଲି ମତ ପ୍ରକାଶ ପାଉଛି।

Advertisment

୧୯୮୯ରେ ପ୍ରଣୀତ ବିଶ୍ବବିଦ୍ୟାଳୟ ଆଇନକୁ ୨୦୨୦ରେ ରାଜ୍ୟ ସରକାର ସଂଶୋଧନ କରିଥିଲେ। ମାତ୍ର ଏଥିରେ ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବାୟତତ୍ତା କ୍ଷୁଣ୍ଣ ହେବା ସହ ସରକାରୀ ହସ୍ତକ୍ଷେପ ବୃଦ୍ଧି ପାଇଥିଲା। ଏ ପ୍ରକାର ସଂଶୋଧନ ୟୁଜିସି ଗାଇଡ଼ଲାଇନ-୨୦୧୮ର ବିରୁଦ୍ଧାଚରଣକରୁଥିବା ଦର୍ଶାଇ ୟୁଜିସି ଓ ଅନ୍ୟମାନେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ନୂଆ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ରହିଥିଲେ ସୁଦ୍ଧା ୧୯୮୯ର ପୁରୁଣା ଆଇନରେ ନିଯୁକ୍ତି ହୋଇପାରିବ। ଦରକାର ପଡ଼ିଲେ ସରକାର ନୂଆ ଆଇନକୁ ରଦ୍ଦ କରିପାରିବେ ବୋଲି କହିଛନ୍ତି ଆଇନଜୀବୀ।

ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ୧୮୦୧ ପ୍ରାଧ୍ୟାପକ ପଦ ଥିବାବେଳେ ଏଥିରୁ କେବଳ ୭୨୧ ପଦରେ ପ୍ରାଧ୍ୟାପକ ଅଛନ୍ତି। ୧୦୮୦ ପଦ ଖାଲି ପଡ଼ିଛି, ଅର୍ଥାତ୍ ରାଜ୍ୟରେ ୬୦% ପ୍ରାଧ୍ୟାପକ ବା ଶିକ୍ଷକ ପଦ ଖାଲିପଡ଼ିଛି। ସେହିଭଳି ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ମୋଟ ୨୬୩୫ ମଂଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ଥିବାବେଳେ ଏବେ ମାତ୍ର ୮୭୪ ପଦରେ କାମ ଚାଲିଛି। ଅର୍ଥାତ୍ ୧୭୬୧ ପଦ ବା ୬୬% ଅଣ-ଶିକ୍ଷକ ପଦଖାଲିପଡ଼ିଛି।

Odisha Universities Education System Odisha
Advertisment
Advertisment