• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଲିଛି ବେଆଇନ କଲେଜର ବେଆଇନ ଆଡିମିଶନ । ଏଭଳି ଫେକ୍ କଲେଜ ବିଷୟରେ ନଜାଣି ଆପଣ ଯଦି ଆଡମିଶନ କରିଦେଲେ, ପାଠ ତ ପଢ଼ିବେ, କିନ୍ତୁ ୟୁନିଭର୍ସିଟିର ଅନୁମୋଦନ ନଥିବାରୁ ପରୀକ୍ଷା ଦେଇପାରିବେନି କି ସାର୍ଟିଫିକେଟ୍ ମିଳିବନି । କେତେକ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଯେଉଁଥିପାଇଁ ଆରମ୍ଭ ହୋଇଛି ଯାଞ୍ଚ । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ ଅନୁମୋଦନ ନଥିବା କଲେଜ ତାଲିକା ତୁରନ୍ତ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର । ବର୍ଷ ବର୍ଷ ଧରି ବିନା ଅନୁମୋଦନରେ ଶିକ୍ଷାନୁଷ୍ଠାନ ଚାଲୁଥିଲେ ବି କିପରି କଲେଜରେ ଆଡମିଶନ କରାଉଛନ୍ତି ତାକୁ ନେଇ ଖୋଦ୍ ବିଭାଗ ମଧ୍ୟ ଆଶ୍ଚର୍ଯ୍ୟ । ଯେଉଁଥିପାଇଁ ଧରପଗଡ ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ବିନା ଅନୁମୋଦନରେ ଚାଲୁଥିବା ଶିକ୍ଷାନୁଷ୍ଠାନଗୁଡିକର ତାଲିକା ମଗାଯାଇଛି । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନିଜ ଅଞ୍ଚଳରେ ଫେକ୍ ଶିକ୍ଷାନୁଷ୍ଠାନଗୁଡିକୁ ଚିହ୍ନଟ କରି ତାଲିକା ଉଚ୍ଚଶିକ୍ଷା ବିଭାଗକୁ ଦେବେ । ଏହାପରେ ସେ ସବୁ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ବିଭାଗ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିଭିନ୍ନ କାରଣରୁ ବିଶ୍ୱବିଦ୍ୟାଳୟଠାରୁ କଲେଜଗୁଡିକ ଅନୁମୋଦନ ପାଇବାରେ ଅସମର୍ଥ । କିନ୍ତୁ ଆଡମିଶନ ବର୍ଷ ପରେ ବର୍ଷ ଧରି କରିଚାଲୁଛନ୍ତି । ହେଲେ ଏହା ସମ୍ଭବ କିପରି ? କେମିତି ସାମସ୍ ଜରିଆରେ ଅନୁମୋଦନ ନଥିବା କଲେଜରେ ଆଡମିଶନ ହେଉଛି ? କିଛି କଲେଜ ତ ଅଫ୍ ଲାଇନ୍ ଜରିଆରେ ଆଡମିଶନ୍ ବି କରାଇନେଇଛନ୍ତି । ଏଥିରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ତ ? ପିଲାଏ ଫେକ୍ କଲେଜର ମାୟାଜାଲରେ ପଡି ଆଡମିଶନ କରୁଛନ୍ତି । ପାଠ ବି ପଢୁଛନ୍ତି । ମାତ୍ର ଅନୁମୋଦନ ନଥିବାରୁ ନା ଦେଇପାରୁଛନ୍ତି ପରୀକ୍ଷା, ନା ବିଶ୍ୱବିଦ୍ୟାଳୟ ପ୍ରକାଶ କରୁଛି ରେଜଲଟ । କେବଳ ଡିଗ୍ରୀ କଲେଜ ନୁହେଁ ପ୍ରଫେସନାଲ୍ କୋର୍ସ ଥିବା କଲେଜଗୁଡିକ ଏ ବର୍ଷ ଆଡମିଶନ କରାଇଛନ୍ତି । ଯେଉଁଥିପାଇଁ ପିଲାଙ୍କ ଭବିଷ୍ୟତ ଏବେ ବନ୍ଧା ପଡିଛି ।

ସେପଟେ ଆଡିମିଶନରେ ସ୍ୱଚ୍ଛତା ଲାଗି ଅନଲାଇନ୍ ବ୍ୟବସ୍ଥା ହୋଇଛି । ଏହାସହ ଅନୁମୋଦନପ୍ରାପ୍ତ କଲେଜଗୁଡିକର ତାଲିକା ବି ଉଚ୍ଚ ଶିକ୍ଷା ବିଭାଗ ୱେବସାଇଟରେ ଦିଆଯାଇଛି । ଏହାବାଦ କିପରି ବିନା ଅନୁମୋଦନ କଲେଜରେ ଆଡମିଶନ ହେଉଛି ତାହାହିଁ ବଡ ପ୍ରଶ୍ନ ।

  • Reported by:
  • T GOURISHANKAR , JAGDISH DAS , ATULYA BOUT