କଳାରେ କମିଲା, ହେଲେ ବିଜ୍ଞାନ ଓ ବାଣିଜ୍ୟରେ ବଢ଼ିଲା ପ୍ଲସ୍-ଟୁ ପାସ୍ ହାର। ଆଜି ଏକାସାଙ୍ଗରେ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ, ମୋଟ୍ ପାସ୍ ହାର ରହିଛି ୮୨.୭୭ ପ୍ରତିଶତ। କଳାରେ ୮୦.୫୧ ପ୍ରତିଶତ, ବିଜ୍ଞାନରେ ୮୭.୫ ଓ ବାଣିଜ୍ୟରେ ୮୩.୨ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏଥର ବି ଝିଅମାନେ ବାଜିମାତ୍ କରିଥିବା ବେଳେ, ପାସ୍ ହାରରେ ପ୍ରାୟ ୧୦ ପ୍ରତିଶତ ପଛରେ ପଡ଼ିଛନ୍ତି ପୁଅ।
ଆଜି ଏକାସାଙ୍ଗରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଘୋଷଣା କରିଥିବା ବେଳେ, ଚଳିତବର୍ଷ ପାସ୍ ହାର୍ ରହିଛି ୮୨.୭୭ ପ୍ରତିଶତ।ଏଥର ପରୀକ୍ଷା ଦେଇଥିଲେ ମୋଟ୍ ୩ ଲକ୍ଷ ୮୨ ହଜାର ୭୨୯ ଜଣ ଛାତ୍ରଛାତ୍ରୀ। ପାସ୍ କରିଛନ୍ତି ୩ ଲକ୍ଷ ୧୬ ହଜାର ୭୮୭ ଜଣ। କଳାରେ ୮୦.୫୧ ପ୍ରତିଶତ, ବିଜ୍ଞାନରେ ୮୭.୪୯, ବାଣିଜ୍ୟରେ ୮୩.୨ ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ କରିଛନ୍ତି ୬୦.୫୭ ପ୍ରତିଶତ ଛାତ୍ରଛାତ୍ରୀ। ଗତବର୍ଷ ପାସ୍ ହାର କଳାରେ ୮୦.୯୫ ପ୍ରତିଶତ, ବିଜ୍ଞାନରେ ୮୬.୯୩, ବାଣିଜ୍ୟରେ ୮୨.୨୭ ଓ ଧନ୍ଦାମୂଳକ ଶିକ୍ଷା ୬୮.୦୨ ପ୍ରତିଶତ ରହିଥିଲା।.. ସେପଟେ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦେଖିଲେ, ୯୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ନମ୍ବର ରଖିଛନ୍ତି କଳାରେ ୧୭୧ ଜଣ, ବିଜ୍ଞାନରେ ୧୯ ଶହ ୬ ଜଣ ଓ ବାଣିଜ୍ୟରେ ୨୦୪ ଜଣ। ସମସ୍ତ ଷ୍ଟ୍ରିମ୍ ରେ ମୋଟ୍ ୧ ଲକ୍ଷ ୧ ହଜାର ୯୧୪ ଜଣ ଛାତ୍ରଛାତ୍ରୀ ଫାଷ୍ଟ୍ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
Also Read
ଅଧିକ ପଢ଼ନ୍ତୁ: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!
ପ୍ଲସ୍ ଟୁ ପାସ୍ ହାରରେ ପୁଣି ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ରୀ। ପୁଅଙ୍କ ପାସ୍ ହାର୍ ୭୭.୮୮ ପ୍ରତିଶତ ଥିବା ବେଳେ, ଝିଅଙ୍କ ପାସ୍ ହାର ରହିଛି ୮୭.୨୪ ପ୍ରତିଶତ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା, ସବୁଥିରେ ଛାତ୍ରୀ ଆଗରେ । ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ଉତ୍ତୀର୍ଣ୍ଣ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୭୪ ହଜାର ୨୫୧। ଗତବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଥିଲା। ଜିଲ୍ଲାୱାରୀ ରେଜଲ୍ଟକୁ ଦେଖିଲେ ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ଼ ରହିଛି ଆଗରେ। କଳାରେ ବରଗଡ଼ ଓ ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ବର ତାଲିକା ଶୀର୍ଷରେ ରହିଛି।
ପରୀକ୍ଷାର୍ଥୀମାନେ results.digilocker.gov.in ଓ results.odisha.gov.inରେ ରେଜଲ୍ଟ ଦେଖିପାରିବା ସହ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ମାର୍କ ପୁନଃଯୋଗ ଓ ପୁନଃଯାଞ୍ଚ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ୩୦ ମେ ସୁଦ୍ଧା ପ୍ରକାଶ ପାଇବ। ଡିଜି ଲକର୍ ମାଧ୍ୟମରେ ମାର୍କସିଟ୍ ଓ ସାର୍ଟିଫିକେଟ୍ ଉପଲବ୍ଧ ହେବାକୁ ଥିବା ବେଳେ, ୩୦ ଦିନ ଭିତରେ ତାର ହାର୍ଡ କପି ମିଳିପାରିବ। ଏଥିସହ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ଜାରି କରିଛି CHSE । ନମ୍ବର ହେଉଛି- ୦୬୭୪-୨୩୦୦୯୦୭ । ସେପଟେ ଗତକାଲି ଯୁକ୍ତ ୩ ନାମଲେଖା ଅବଧି ଜୁନ୍ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।