• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍ । ଏନେଇ ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ କହିଲେ । କୋଭିଡ୍ ଗାଇଡ୍ ଲାଇନ୍ ଆଧାରରେ ପାଠପଢ଼ା ହେବ। ଏଥିପାଇଁ ଖୁବଶୀଘ୍ର ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ଗାଇଡଲାଇନ୍ ଆସିବ।

ଏନେଇ ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି । ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢା ପାଇଁ ଜାରି ହୋଇଥିବା SOP ଏହି ଦୁଇ ଶ୍ରେଣୀ ପାଇଁ ମଧ୍ୟ ଲାଗୁ ହେବ । ତେବେ ଏହି ଦୁଇ ଶ୍ରେଣୀରେ ସକାଳ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହା ମଧ୍ୟରେ ଟିଚିଂ ଆଓ୍ୱାର ରହିବ ୩ ଘଣ୍ଟା । ଯଦି ପିଲା ସ୍କୁଲ ନ ଆସି ଅନ୍ଲାଇନ୍‌ରେ କ୍ଲାସ୍ କରିବାକୁ ଚାହିଁବେ କରିପାରିବେ । ଶ୍ରେଣୀ ଗୃହ ଶିକ୍ଷା ପାଇଁ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ ।

ସେହିପରି ହଷ୍ଟେଲ ଖୋଲିବାକୁ ବି ଅନୁମତି ଦିଆଯାଇଛି । ତେବେ ହଷ୍ଟେଲ୍ ଯେମିତି ଠିକ୍ ଭାବେ ସାନିଟାଇଜ୍ କରାଯିବ, ସଂପୃକ୍ତ ଛାତ୍ରାବାସର ମୁଖ୍ୟ ଏହାର ଦାୟିତ୍ୱ ନେବେ । ପିଲାଙ୍କ ସୁରକ୍ଷା ପାଇଁ ଘରୋଇ ସ୍କୁଲଗୁଡ଼ିକ ଚାହିଁଲେ ଅତିରିକ୍ତ ଗାଇଡ୍‌ଲାଇନ୍ ଜାରି କରିପାରିବେ । ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲ ପରିଦର୍ଶନ କରି ଶ୍ରେଣୀଗୃହ ସାନିଟାଇଜ୍ ହୋଇଛି ନା ନାହିଁ ନିରୀକ୍ଷଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସମସ୍ତ କୋଭିଡ୍ ଗାଇଡ୍‌ଲାଇନ୍ ସ୍କୁଲରେ କଡ଼ାକଡ଼ି ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ସଂପର୍କରେ ଏବେ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ବସି ରହିଥିଲେ । ଅବଶ୍ୟ କିଛି ପିଲା ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ । ହେଲେ ସବୁ ପିଲା ଏହାର ସୁଯୋଗ ପାଇପାରୁନଥିଲେ । କରୋନା ମହାମାରୀ ପାଇଁ ସ୍କୁଲ ଯାଉନଥିଲେ ପିଲା । ହେଲେ ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ କରିଥିଲେ । ଏପରିକି ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ହୋଇଥିଲା । ତେବେ ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ହୋଇଥିଲା । ଅର୍ଥାତ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଏ‍ବଂ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିଥିଲା । ଯାହା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

 

ସେହିଭଳି ନଭେମ୍ବର ୧ରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଶ୍ରେଣୀଗୃହରେ ଆରମ୍ଭ ହୋଇଥିବା ବେଳେ ୧୫ରୁ ପିଜି (ସ୍ନାତକୋତ୍ତର) ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଶ୍ରେଣୀ ଗୃହରେ ଆରମ୍ଭ ହେବ । ଏନେଇ କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦେଇଥିଲେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ୟୁଜି ଓ ପିଜିରେ ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ । ତେବେ କୋଭିଡ୍ କଟକଣା ମାନି ଶ୍ରେଣୀଗୃହରେ ପାଠପଢ଼ା ହେବ ବୋଲି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।