• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଓ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜି ବି ଶିକ୍ଷା ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । କେଉଁଠି ଭିତ୍ତିଭୂମି ନାହିଁ ତ ଆଉ କେଉଁଠି ଶିକ୍ଷକ ନାହାନ୍ତି । ଅପହଞ୍ଚ ଦୁର୍ଗମ ଇଲାକାରେ ଶିକ୍ଷା କଥା ତ ନ କହିବା ଭଲ । ସ୍କୁଲ ଘର ନଥିବା ଯୋଗୁଁ ଅତି ଦୟନୀୟ ଭାବେ ୧୨ ବର୍ଷ ହେଲା ପର ଘର ବାରଣ୍ଡାରେ ଚାଲିଛି ସ୍କୁଲ । ଏଭଳି ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ପଂଚାୟତର ସିଲିକିସୁଗା ଗ୍ରାମରେ ଦେଖିବାକୁ ମିଳିଛି ।

ଏଠାରେ ଚାଲୁଥିବା ସ୍କୁଲର ନିଜସ୍ୱ ଘର ନାହିଁ । ଏଥିପାଇଁ ସ୍କୁଲ କମିଟି ସଭାପତିଙ୍କ ଘର ବାରଣ୍ଡାରେ ପାଠ ପଢ଼ା ହେଉଛି । ବାକି କଥା କଣ କହିବା, କଳାପଟା ନାହିଁ ବୋଲି ବିବି କ୍ଲଥରେ ଶିକ୍ଷକ ଲେଖି କରି ପିଲାଙ୍କୁ ବୁଝାଉଛନ୍ତି । ଆଉ ସେହି ବାରଣ୍ଡାରେ ପାଠ ପଢ଼ା, ସେଇଠି ମଧ୍ୟାହ୍ନ ଭୋଜନ । ଘର ଅବସ୍ଥା କଣ କହିବା, ଘର ଆଗରେ କୁକୁଡ଼ା ବୁଲୁଛନ୍ତି । ଏମିତି ଅବସ୍ଥାରେ ସ୍କୁଲ ଚାଲିଛି, ପିଲାମାନେ ପାଠ ପଢୁଛନ୍ତି ।

୨୦୧୦ରେ ସ୍କୁଲ ସ୍ଥାପନ ହୋଇଥିଲା । ୨ ଜଣ ଶିକ୍ଷକ ଅଛନ୍ତି । ପିଲା ମଧ୍ୟ ଅଛନ୍ତି । କିନ୍ତୁ ସ୍କୁଲ ଘର ନାହିଁ । ୧୦ ବର୍ଷ ହେଲା ପ୍ରଶାସନ ଓ ନେତାଙ୍କୁ ଗୁହାରି କରି କରି ଗାଁ ଲୋକେ ଥକି ପଡ଼ିଥିଲେ ମଧ୍ୟ ସ୍କୁଲ ଘରଟେ ହୋଇପାରିନାହିଁ ।  ଆଉ ଏଥିପାଇଁ ୧୨ ବର୍ଷ ହେଲା ବାରଣ୍ଡାରେ ଦେଶର ଭବିଷ୍ୟତ ଗଢ଼ା ହେଉଛି । ଛାତ୍ରଛାତୀମାନେ ଭାଗ୍ୟକୁ ଆଦରି ଅତି ଦୟନୀୟ ଭାବେ ପାଠ ପଢୁଛନ୍ତି ।

(ରିପୋର୍ଟ- ଅଜିତ୍ ନାୟକ, ବାଲିଗୁଡ଼ା)