• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିକ୍ଷା ବିଭାଗ ଆପଣାଇଲା ପୁରୁଣା ଫର୍ମୁଲା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହେବ ଏକକ ବୋର୍ଡ ପରୀକ୍ଷା । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷ ପରି ଆଉ ଦୁଇଟି ପରୀକ୍ଷା ଯଥା ଟର୍ମ-୧, ଟର୍ମ-୨ କରାଯିବ ନାହିଁ ବରଂ ପୁଣିଥରେ ପୁରୁଣା ପଦ୍ଧତି ଆପଣାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଯୋଜନା ପ୍ରସ୍ତୁତ କରିଛି ।

ଯାହାକୁ ଆଧାର କରି ଓଡ଼ିଶାର ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷକ(ସିଏଚ୍‌ଏସ୍‌ଇ) ମଧ୍ୟ ସମାନ ପନ୍ଥା ଆପଣାଇବ ବୋଲି କୁହାଯାଉଛି । ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି ।

କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ମୋଟ ସିଲାବସ୍‌ ପଢ଼ିଯିବା ପରିବର୍ତ୍ତେ ୩୦% ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ଶିକ୍ଷା ପ୍ରଦନ କରାଯାଇଥିଲା ଏବଂ ସେହି ଅନୁଯାୟୀ ପରୀକ୍ଷା ମଧ୍ୟ କରାଯାଉଛି । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା ।

ସିବିଏସ୍‌ଇ ପକ୍ଷରୁ ନଭେମ୍ବର ଡିସେମ୍ବର ମାସରେ ମଲ୍ଟି ଚଏସ୍ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବା ବେଳେ ଏପ୍ରିଲ ୨୬ରୁ ଟର୍ମ ୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନାତି ଅଧରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତି ନେଇଛି ।

ପୂର୍ବ ଢ଼ାଞ୍ଚା ଅନୁଯାୟୀ ଏକକ ବୋର୍ଡ ପରୀକ୍ଷା ସପକ୍ଷରେ ଅଂଶୀଦାରମାନେ ମତପ୍ରକାଶ କରିଛନ୍ତି । ଏବେ ସ୍ଥିତିରେ ସୁଧାର ଆସିଛି । ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ଵାଭାବିକ ଅବସ୍ଥାକୁ ଫେରୁଥିବାରୁ ସମ୍ପୂର୍ଣ୍ଣ ଶତପ୍ରତିଶତ ସିଲାବସ୍‌ରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିଆଇଏସ୍‌ସିଇ ବୋର୍ଡ ମଧ୍ୟ ସମାନ ଢାଞ୍ଚା ଆପଣାଇବାକୁ ନିଷ୍ପତ୍ତି ନେଇଛି । ତେଣୁ ସିବିଏସ୍‌ଇ ବୋର୍ଡ ଆଧାରରେ ଓଡ଼ିଶା ବୋର୍ଡଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସିଲାବସ୍‌ରେ ପିଲାଙ୍କୁ ପଢ଼ାଇବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ ପିଲାଙ୍କୁ ସମ୍ପୂର୍ଣ୍ଣ ସିଲାବସ୍‌ରେ ଶିକ୍ଷା ଦେବାକୁ ନିଷ୍ପତି ହୋଇଛି । କେବେଠାରୁ ପାଠପଢ଼ା ଆରମ୍ଭ ହେବ ? କେବେ ପରୀକ୍ଷା କରାଯିବ ? ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଷାଣ୍ମାଷିକ ପରୀକ୍ଷା କେଉଁ ସମୟରେ ଅନୁଷ୍ଠିତ ହେବ ? ସେନେଇ ବ୍ୟାପକ ଆଲୋଚନା ହୋଇଛି ।