• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଡୁଛି ଦିନ ହେଲେ ଦିଶୁନି ଶିକ୍ଷକଙ୍କ ଆନ୍ଦୋଳନର ସମାଧାନ ବାଟ । ଅତୀତରେ ବିକ୍ଷୋଭ, ସମାବେଶ ଓ ମହାସମାବେଶ କରିବା ପରେ ମଧ୍ୟ ଶିକ୍ଷକଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର । ଆଉ ବର୍ତ୍ତମାନ ସଂଘ ପକ୍ଷରୁ ନୂତନ ଧରଣର ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶିକ୍ଷକଙ୍କୁ ଆନ୍ଦୋଳନ କରିବାକୁ ନଦିଆଯିବାରୁ ଅଭିନବ ଉପାୟ ଆପଣାଇଛି ସଂଘ । ଆସନ୍ତାକାଲି ଠାରୁ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ୟୁନିଫର୍ମ ବର୍ଜନ କରିବେ ବୋଲି କୁହାଯାଇଛି । ବିନା ୟୁନିଫର୍ମରେ ସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଡ୍ୟୁଟି କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଥିବା ବେଳେ ଆନ୍ଦୋଳନ ପାଇଁ ପୋଲିସରୁ ଅନୁମତି ମିଳି ନାହିଁ  ବୋଲି ସଂଘ କହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଶିକ୍ଷକ ଆସି ଲୋୟର ପିଏମଜିରେ ପହଞ୍ଚିଥିଲ । ପୋଲିସ ଆନ୍ଦୋଳନକୁ ଅନୁମତି ନଦେବା ପରେ ଏନେଇ ଦ୍ୱନ୍ଦ୍ୱରେ ଥିଲେ ଶିକ୍ଷକ ସଂଘ । ସେହିପରି ଶିକ୍ଷା ବିଭାଗ ପକ୍ଷରୁ ଛୁଟି ମଞ୍ଜୁର ହୋଇନଥିଲା । ବିଭିନ୍ନ ସ୍ଥାନର ବିଇଓ ଛୁଟି ମଞ୍ଜୁରୀ ନକରିବା ସହ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶତାଧିକ ଶିକ୍ଷକ ପ୍ରଦର୍ଶନୀ ପଡ଼ିଆରେ ଏକାଠି ହୋଇଥିଲେ ।

ଦାବି ପୂରଣ ନହେବା ଯାଏଁ ଏପରି ପ୍ରତିବାଦ କରିବେ ବୋଲି ଶିକ୍ଷକମାନେ କହିଛନ୍ତି । ଆନ୍ଦୋଳନ ପାଇଁ ପୋଲିସ ଅନୁମତି ଦେଇନଥିବାରୁ ପ୍ରାଥମିକ ଶିକ୍ଷକ ସଂଘ ତାର ଆନ୍ଦୋଳନକୁ ସ୍ଥଗିତ ରଖିଛି । ଷ୍ଟିୟରିଂ କମିଟି ବୈଠକରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବା ବେଳେ ବୈଠକ ପରେ ସଭାପତି ମଣ୍ଡଳର ବରିଷ୍ଠ ସଦସ୍ୟ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ପୁଣି ଷ୍ଟିୟରିଂ କମିଟି ବୈଠକ ହେବ । କାଲିଠାରୁ ଆମେ ଆଉ ସରକାରଙ୍କ ଡ୍ରେସ କୋଡ୍ ନିୟମ ମାନିବୁନି । ଡ୍ରେସ୍ କୋଡ୍ ପାଇଁ ସରକାର ଆମକୁ ଟଙ୍କାଟିଏ ଦେଉ ନାହାନ୍ତି । ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ସହଯୋଗ କରୁଥିଲୁ ବର୍ଜନ କରିବୁ । ୬ ମାସ ହେଲା ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ସରକାର ଟଙ୍କାଟିଏ ଦେଇ ନାହାନ୍ତି । ସିଆରସିସି ଦାୟିତ୍ୱରୁ ମଧ୍ୟ ଓହରି ଯାଇ ପ୍ରତିବାଦ କରିବୁ ବୋଲି ଶିକ୍ଷକମାନେ କହିଛନ୍ତି ।

ଆସନ୍ତାକାଲିଠୁ ପ୍ରାଥମିକ ସ୍କୁଲ ଶିକ୍ଷକମାନେ ୟୁନିଫର୍ମ ନପିନ୍ଧିବା ନେଇ ଆଜି ବସିଥିବା ପ୍ରାଥମିକ ଶିକ୍ଷକଙ୍କ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେବା ଯାଏଁ ବିନା ୟୁନିଫର୍ମରେ ସ୍କୁଲ ଯିବେ ।

ଗତ କିଛି ମାସ ହେବ ରାଜଧାନୀର ରାଜରାସ୍ତାରେ ଶିକ୍ଷକମାନେ ଅହୋରାତ୍ର ଧାରଣା ଦେଇଥିଲେ । ସରକାରଙ୍କୁ ନିଜର ୩ ଦଫା ଦାବି ନେଇ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ । ହେଲେ ସରକାର ଏଥି ପ୍ରତି ଦୃଷ୍ଟି ଦେଇନଥିବା ଶିକ୍ଷକମାନେ ଅଭିଯୋଗ ଆଣିଥିବା ବେଳେ ପୁଣି ରାଜରାସ୍ତାକୁ ଓହ୍ଲାଇକୁ ସଜବାଜ ହେଉଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଗତଥର ଆନ୍ଦୋଳନ ସମୟରେ ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ହଜାର ହଜାର ଶିକ୍ଷକ । ହେଲେ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି । ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।