ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ପରିବାର ସମସ୍ତେ ଚିନ୍ତାରେ ରହିଥାନ୍ତି । ଏହି ଚିନ୍ତାକୁ କମାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପ 'ପରୀକ୍ଷା ପେ ଚର୍ଚ୍ଚା' ( ପିପିସି) । ଏବର୍ଷର ପରୀକ୍ଷା ପେ ଚର୍ଚ୍ଚା ଆଜି ପୂର୍ବାହ୍ନ ୧୧ଟା ଅନୁଷ୍ଠିତ ହୋଇଛି । ଏହି ମତ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ । ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ । ଚଳିତ ବର୍ଷର ସଂସ୍କରଣରେ ବିନା ଟେନସନରେ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସମୟର ସଦୁପଯୋଗ ଏବଂ ଟାଇମ୍ ମ୍ୟାନେଜମେଣ୍ଟ ଶିଖିବା ପାଇଁ ଟିପ୍ସ ଦେଇଛନ୍ତି ମୋଦି ।
Also Read
ମୋଦି ଆହୁରି କହିଛନ୍ତି ପରୀକ୍ଷାର୍ଥୀମାନେ ନିଜ ଉପରେ ବିଶ୍ବାସ ରଖନ୍ତୁ, ବିଶ୍ବାସ ନେତୃତ୍ବ ତିଆରି କରେ । ପରୀକ୍ଷାର୍ଥୀଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ବହୁତ ଜରୁରୀ । ପରୀକ୍ଷା ଜୀବନରେ ସବୁ କିଛି ନୁହେଁ । ଜ୍ଞାନ ଓ ପରୀକ୍ଷା ଉଭୟ ଅଲଗା ଅଲଗା । ସହଜତାର ସହ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତୁ । ଅନେକ ସମୟରେ ନିଜ ସହ କଥା ହେବା ଜରୁରୀ । ରୋଗ ନାହିଁ ଅର୍ଥ ଆମେ ସୁସ୍ଥ ଏହା ବି ଠିକ୍ ନୁହେଁ । ଯଥେଷ୍ଟ ନିଦ୍ରା ସହ ସକାଳର ସୂର୍ଯ୍ୟୋଦୟ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକର । ସେହିପରି ପିଲାଙ୍କୁ ଅଧିକ ଚାପ ନଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ପିଏମ୍ । ପିଲାର ଟାଲେଣ୍ଟ ଦେଖି ବଢ଼ିବାକୁ ସହଯୋଗ କରନ୍ତୁ ବୋଲି ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମୋଦି ।
ଆଜି ପରୀକ୍ଷା ପେ' ଚର୍ଚ୍ଚାର ଅଷ୍ଟମ ସଂସ୍କରଣରେ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଦିନ ୧୧ଟାରେ ପରୀକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏବର୍ଷ ପରୀକ୍ଷା ପେ' ଚର୍ଚ୍ଚା ପାଇଁ ଦେଶରୁ ୩୬ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ଏମାନଙ୍କ ମଧ୍ୟରେ ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ, ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଓ ସିିବିଏସଇ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ : ମହାକୁମ୍ଭରେ ସାମିଲ୍ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇଲେ ଆସ୍ଥାର ବୁଡ଼
ଛାତ୍ରଛାତ୍ରୀମାନେ ସିଧାସଖଳ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ମନରେ ପରୀକ୍ଷାକୁ ନେଇ ଥିବା ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀ ପରୀକ୍ଷା ସମ୍ବନ୍ଧୀୟ ଚାପ ହ୍ରାସ, ଉନ୍ନତ ଅଧ୍ୟୟନ ପଦ୍ଧତି ଓ ମାନସିକ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଅପରପକ୍ଷରେ ଭୁବନେଶ୍ବର ୟୁନିଟ୍- ୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।