• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶିକ୍ଷକ ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷା ଏକ ପ୍ରକାର ଠପ୍ ହୋଇଯାଇଛି । ଏଣେ କାମ କରୁନି ସରକାରଙ୍କ ବ୍ୟାକ୍ ଅପ୍ ପ୍ଲାନ୍ । ପାଖ ସ୍କୁଲ୍ ରୁ ମାଧ୍ୟମିକ ଶିକ୍ଷକଙ୍କୁ ଆଣି ପଢାଇବା ସମ୍ଭବ ହୋଇପାରୁନି । ଅନ୍ୟପଟେ ସ୍କୁଲରେ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜନ ନିଷ୍ପତ୍ତିକୁ ଅଙ୍ଗନୱାଡି ସଂଘ ବିରୋଧ କରିଛି । ଏହାରି ଭିତରେ ରାଜନୈତିକ ବୟାନବାଜି ଆଜି ବି ଜାରି ରହିଛି । ଅନ୍ୟପଟେ ଶିକ୍ଷକ ଆନ୍ଦୋଳନ ପାଇଁ ଏଥର ବିଦ୍ୟାଳୟରେ ବିଦ୍ୟାଦାତା ଗଜାନନଙ୍କ ପୂଜା ସଂପୂର୍ଣ୍ଣ ଫିକା ପଡିପାରେ ।

ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ । ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରାଥମିକ ସ୍କୁଲରେ ସହଯୋଗ କରିବା ନେଇ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ବିରୋଧ କରିଛି ଅଙ୍ଗନୱାଡି ସଂଘ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଅଙ୍ଗନୱାଡି ଆସୁଥିବାବେଳେ

ଗଣଶିକ୍ଷା ବିଭାଗ ଏ ନିଷ୍ପତ୍ତି ନେବାକୁ କିଏ ବୋଲି ପ୍ରଶ୍ନ କରିଛି ଅଙ୍ଗନୱାଡି ସଂଘ ।

ସେପଟେ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଠପ୍ ହୋଇଯିବାରୁ ଚିନ୍ତାରେ ଅଭିଭାବକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବାରୁ ଆସନ୍ତାକାଲି ଠାରୁ ସ୍କୁଲ୍ ଆଗରେ ଧାରଣା ଦେବାକୁ ଅଭିଭାବକ ସଂଘ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଦିନକ ପରେ ବିଦ୍ୟାଦାତା ଗଜାନନଙ୍କ ପୂଜା । ମାତ୍ର ଶିକ୍ଷକମାନେ ଆନ୍ଦୋଳନରେ ଥିବାରୁ ଗଣେଶ ପୂଜା ପ୍ରସ୍ତୁତିର ଧୁମ୍ ସ୍କୁଲରେ ଦେଖିବାକୁ ମିଳିନି ।

୧୦ ଦିନ ହେବ ଶିକ୍ଷକମାନେ ସ୍କୁଲକୁ ନଯିବା ଦ୍ୱାରା ପ୍ରାଥମିକ ଶିକ୍ଷା କ୍ଷେତ୍ର ଅତ୍ୟଧିକ ପ୍ରଭାବିତ ହୋଇଛି । ଗତକାଲି ବିଭିନ୍ନ ସ୍ଥାନକୁ ମନ୍ତ୍ରୀ ଓ ବିଧାୟକମାନେ ଯାଇ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଥିଲେ । ମାତ୍ର ଶିକ୍ଷକମାନେ ଦାବି ପୂରଣ ପାଇଁ ଅଡି ବସିଛନ୍ତି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଜେପି କହିଛି ସରକାରଙ୍କ ମାନସିକତା ନଥିବାରୁ ଏଭଳି ସ୍ଥିତି ଉପୁଜିଛି । କଂଗ୍ରେସର ଚେତାବନୀ ଶିକ୍ଷକଙ୍କ ଦାବି ଦିଗରେ ପଦକ୍ଷେପ ନିଆନଗଲେ ଜୋରଦାର ବିରୋଧ କରାଯିବ ।

ବିଜେଡି କହିଛି ଖୁବ୍ ଶୀଘ୍ର ସମାଧାନ ହେବ। ଏହାରି ଭିତରେ ଆନ୍ଦୋଳନସ୍ଥଳରୁ ଆସିଛି ରୋଚକ ଚିତ୍ର । ସୁନ୍ଦରଗଡ କୋଇଡାରେ ଆନ୍ଦୋଳନସ୍ଥଳରେ ଶିକ୍ଷକମାନେ ବିଶ୍ୱକର୍ମା ପୂଜା ଅବସରେ ଗାଡ଼ି ପୂଜା କରିଛନ୍ତି । ସେହିପରି ବାଲିଗୁଡାରେ ଆନ୍ଦୋଳନରେ ଯୋଗଦେଇନଥିବା ଶିକ୍ଷୟିତ୍ରୀଙ୍କୁ ଆଉ ଜଣେ ଶିକ୍ଷୟିତ୍ରୀ ଗେଣ୍ଡୁ ମାଳ ପକାଇ ପ୍ରତିବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ କଳାହାଣ୍ଡିରେ ନବୀନଙ୍କୁ ଗୀତ ମାଧ୍ୟମରେ ସମାଲୋଚନା କରି କିଛି ଶିକ୍ଷୟିତ୍ରୀ ନୃତ୍ୟ ପରିବେଷଣ କରିଛନ୍ତି ।

  • Reported by:
  • JAGDISH DAS , KAPILENDRA PRADHAN , Ajit Kumar Nayak , Sunil Panda