ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । ମାଧ୍ୟମିକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । ତେବେ ଆଜି ସନ୍ଧ୍ୟା ୬ଟା ପରେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପରୀକ୍ଷାର୍ଥୀ ରେଜଲ୍ଟ ଯାଞ୍ଚ କରିପାରିବେ । ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ ।
Also Read
ଚଳିତ ଥର ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି । ତେବେ ଗତଥର ପରି ଏଥର ବି ମାଟ୍ରିକ୍ ପରୀକ୍ଷାରେ ଛାତ୍ରୀ ବାଜି ମାରିଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟରେ ୨ ଲକ୍ଷ ୪୦ ହଜାର ୨୫୧ ଜଣ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଜଣ ଛାତ୍ରୀ ପାସ୍ କରିଛନ୍ତି । ଚଳିତ ଥର A1 ଗ୍ରେଡ୍ରେ ୧୮୧୨ ଜଣ ରହିଥିବା ବେଳେ A2 ରେ ୧୨ ହଜାର ୨୦୦, B1ରେ ୩୮ ହଜାର ୮୩୧, B2ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, Dରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍ରେ ୬୭ ହଜାର ୧୩ ଜଣ ପାସ୍ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ
ଏଥର ରେଜଲ୍ଟ ବାହାରିବା ଦିନ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ମିଳିବ ବୋଲି ପୂର୍ବରୁ ବୋର୍ଡ ସଭାପତି ସୂଚନା ଦେଇଥିଲେ । ତେବେ ଚଳିତ ବର୍ଷ ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଯେଉଁ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ନେଇ ଅସନ୍ତୁଷ୍ଟ ହେବେ ସେମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।