• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଉ ଅଧ ଘଣ୍ଟା କି ୪୫ ମିନିଟ୍ ନୁହେଁ । ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ଏଣ୍ଟ୍ରି କରିବେ ମାଟ୍ରିକ୍ ପରୀକ୍ଷାର୍ଥୀ । ଆସନ୍ତା ୨୦ରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ କପି ରୋକିବାକୁ ଏଭଳି ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତା’ସହ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ବୋର୍ଡ ମୋବାଇଲ୍ କଟକଣା ଜାରି କରିଛି । ତେବେ ଏହି ନିଷ୍ପତ୍ତି ବାସ୍ତବରେ କାର୍ଯ୍ୟକାରୀ ହୋଇପାରିବ ତ ? ତାକୁ ନେଇ ପ୍ରଶ୍ନ ଉଠିବା ସହ ନିର୍ବାଚନୀ ବର୍ଷରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ଓ ତ୍ରୁଟିଶୂନ୍ୟ ମୂଲ୍ୟାଙ୍କନକୁ ନେଇ ନାନା ଶଙ୍କା ହେଉଛି ।

ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଏଥିପାଇଁ ତତ୍ପର ମାଧ୍ୟମିକ ଶିକ୍ଷା ବୋର୍ଡ । କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ ଏଣିକି ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ । ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ପରୀକ୍ଷାର୍ଥୀଙ୍କୁ । ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ ।

କେବଳ ସେତିକି ନୁହେଁ ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ । ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ । ଏହାର ଦାୟିତ୍ୱ ଦିଆଯିବ ବିଇଓ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ।

ଏବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ । ତେବେ ଆଗକୁ ସାଧାରଣ ନିର୍ବାଚନ । ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପରେ ପୋଲିଂ ଡ୍ୟୁଟି ବି ପଡ଼ିବ ।

ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଏଭଳି ସ୍ଥିତିରେ ମାଧ୍ୟମିକ ଶିକ୍ଷା ବୋର୍ଡ ନିର୍ଦ୍ଧାରିତ ସମୟ ଭିତରେ ଏବଂ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିପାରିବ ତ ? ମାର୍ଚ୍ଚ ଶେଷ ସୁଦ୍ଧା ଖାତାଦେଖା ସରିବା ପରେ ମୂଲ୍ୟାଙ୍କନ ବି ଆରମ୍ଭ ହୋଇଯିବ । ତେବେ ଏହି ପ୍ରକ୍ରିୟା ତ୍ରୁଟିଶୂନ୍ୟ ହୋଇପାରିବ ତ ? ଛାତ୍ରଛାତ୍ରୀଙ୍କ ମନରେ ଏଭଳି ପ୍ରଶ୍ନ ଉଠିବା ସହ କପି ରୋକିବାକୁ ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ଏଣ୍ଟ୍ରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏବର୍ଷଠାରୁ ପୁରୁଣା ଢାଞ୍ଚା ଅର୍ଥାତ ୫୦ ମାର୍କ ସବଜେକ୍ଟିଭ୍ ଏବଂ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ଆସିବ । ଏହାଦ୍ୱାରା ପିଲା କେତେ ଉପକୃତ ହେବେ, ତାକୁ ଅପେକ୍ଷା ।

  • Reported by:
  • DEBASHISH MOHANTY