Advertisment

ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ !

ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।

author-image
Satyendu Shekher Mishra
undefined

Education

ଅଧ୍ୟାପକଙ୍କ ପାଠପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅନ୍‌ଲାଇନ୍ ଫିଡ୍ ବ୍ୟାକ୍ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଠାରୁ ମାଳ ମାଳ ଅଭିଯୋଗ ପରେ ସମ୍ପୃକ୍ତ କଲେଜଗୁଡିକୁ ରିପୋର୍ଟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ। ୧୦ ଦିନ ଭିତରେ ରିପୋର୍ଟ ଦେବେ କଲେଜ କର୍ତ୍ତୃପକ୍ଷ। ବିଜେବି, ମହର୍ଷି, ଏସ୍‌ସିଏସ୍ ଭଳି ଅଗ୍ରଣୀ ଡିଗ୍ରୀ କଲେଜ ଅଛନ୍ତି ଏହି ତାଲିକାରେ ।

Advertisment

ଉଚ୍ଚଶିକ୍ଷା ବିଭାଗର ସେହି ଚିଠିରେ ଛାତ୍ରଛାତ୍ରୀଙ୍କ ନକରାତ୍ମକ ଫିଡ୍ ବ୍ୟାକ୍‌କୁ ନେଇ କଲେଜଗୁଡିକୁ ରିପୋର୍ଟ ତଲବ କରାଯାଇଛି । ଛାତ୍ରଛାତ୍ରୀଙ୍କ ଠାରୁ ପାଠପଢା ଓ ଅଧ୍ୟାପକଙ୍କ ବ୍ୟବହାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ ଫିଡ୍ ବ୍ୟାକ୍ ବ୍ୟବସ୍ଥା ରହିଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ନିଜ କଲେଜ ଅଧ୍ୟାପକଙ୍କ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଛି। ଅଧ୍ୟାପକମାନେ ୭ ଘଣ୍ଟା କାଳ କଲେଜରେ ରହୁଛନ୍ତି କି ପ୍ରଶ୍ନରେ ଅଧିକାଂଶ ପିଲା ନା ବୋଲି ଉତ୍ତର ଦେଇଛନ୍ତି।

ସେହିପରି ଅଧ୍ୟାପକମାନେ ମଦ୍ୟପାନ କରି କଲେଜ ଆସୁଛନ୍ତି କି ପ୍ରଶ୍ନରେ ମଧ୍ୟ କିଛି ଛାତ୍ରଛାତ୍ରୀ ଉତ୍ତର ହଁ ଭାବେ ଦେଇଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଭାଗ। ସେପଟେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ପିଲାଙ୍କ ଫିଡ୍ ବ୍ୟାକ୍ କୁ ଆଧାର କରି ଗୁଣାତ୍ମକ ଶିକ୍ଷା ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଆଉ ଏ ଚିଠି ବୟାନ କରୁଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ଥିତି । ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ କେହି ବି ଠିକ୍ ସମୟରେ ଆସୁନାହାଁନ୍ତି । ଯେଉଁଥିପାଇଁ ସକାଳ ୧୦ ଟା ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଦେବାକୁ କୁଳସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବରେ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ବି ଦିଆଯାଇଛି । ରମାଦେବୀ ଅବସ୍ଥା ସାରା ରାଜ୍ୟର ଶିକ୍ଷାନୁଷ୍ଠାନରେ। ତେବେ ପ୍ରଶ୍ନ ଉଠୁଛି ମୋଟା ଅଙ୍କର ଦରମା ନେଇ କେମିତି ଅଧ୍ୟାପକମାନେ ଖିଲାପ କରିବାକୁ ସାହସ ଜୁଟାଉଛନ୍ତି ?

ବାୟୋମେଟ୍ରିକ ବ୍ୟବସ୍ଥା ଥିଲେ ବି କାହିଁକି କଡାକଡ଼ି ଭାବେ ପାଳନ କରାଯାଉନି? ଏହି ପ୍ରଶ୍ନ ଏବେ ଛାତ୍ରଛାତ୍ରୀଙ୍କ ମନରେ ଥିବା ବେଳେ ଶିକ୍ଷାବିତ୍ ମାନେ ମଧ୍ୟ ଅଧ୍ୟାପକଙ୍କ ଏଭଳି ପ୍ରଦର୍ଶନକୁ ନିନ୍ଦା କରିଛନ୍ତି। ପିଲାଙ୍କଠାରୁ ଫିଡ୍ ବ୍ୟାକ୍ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ମାନ ବଢାଇବାକୁ ପ୍ରୟାସ ଆରମ୍ଭ କରିଛି ଉଚ୍ଚ ଶିକ୍ଷା ବିଭାଗ। ଏଠି ପ୍ରଶ୍ନ ପିଲାଙ୍କ ମୂଲ୍ୟାୟନରେ ଅଧ୍ୟାପକ ମାନେ ସୁଧୁରିବେ ତ ?

College
Advertisment
Advertisment