• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତିବନ୍ଧକ ଯାହା ବି ଥାଉ... ଜୀବନରେ କୌଣସି ବି ପ୍ରତିକୂଳ ପରିସ୍ଥିତି ଥାଉ.. ଛାତ୍ର ଜୀବନରେ ମାଟ୍ରିକ ପରୀକ୍ଷା ଯେ କେତେ ଗୁରୁତ୍ୱପୂର୍ଣ୍ଣ, ସେକଥାକୁ ହୃଦୟଙ୍ଗମ କରିଛନ୍ତି ଦିବ୍ୟାଙ୍ଗ ପିଲାମାନେ । ସେମାନଙ୍କ ଆଖିକୁ ସିନା ଦେଖାଯାଉନି, କିନ୍ତୁ ମନରେ ଅଛି ପାଠପଢ଼ି ଆଗକୁ ବଢ଼ିବାର ଜୋସ୍, ସୁନେଲି ଭବିଷ୍ୟତ ତିଆରି କରିବାର ଦୁର୍ବାର ଇଚ୍ଛା । ଏହି ଦୃଷ୍ଟିବାଧିତ ପିଲାମାନେ ହେଲେ କେନ୍ଦୁଝର ମନୋଜ ମଞ୍ଜରୀ ଦିବ୍ୟାଙ୍ଗ ସ୍କୁଲ ଛାତ୍ରଛାତ୍ରୀ । ସ୍ଥାନୀୟ ମୋଚିବନ୍ଧ ହାଇସ୍କୁଲରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେଉଛନ୍ତି ଏମାନେ ।

ସେହିଭଳି ଜରେ ପିଲାଟିର କାହାଣୀ ଜାଣିଲେ କେବଳ ଆପଣଙ୍କ ମନକୁ ଛୁଇଁବ ତା ନୁହେଁ, ଅନ୍ୟ ପିଲାଙ୍କ ପାଇଁ ବି ସାଜିବ ପ୍ରେରଣା । କେନ୍ଦୁଝର କୁଣ୍ଢେଇହତାର ଜଣେ ଦିନ ମଜୁରିଆଙ୍କ ଝିଅ ପପିନା ବିଶ୍ୱାଳ । ପପିନା କୌଣସି ଭିନ୍ନକ୍ଷମ ନୁହଁନ୍ତି । ଗତ ଡିସେମ୍ବରରେ ସ୍କୁଲରେ ବାର୍ଷିକ କ୍ରୀଡାବେଳେ ଲମ୍ବଡିଆଁରେ ଭାଙ୍ଗିଯାଇଥିଲା ବାମ ଗୋଡ଼ର ଜଙ୍ଘ । କଟକରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମନରେ ଆଶା ବାନ୍ଧି ଘରେ ରହି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ପପିନା ।

ତେବେ ଆଜି ଆସିବା ପାଇଁ ଅକ୍ଷମ ହେବାରୁ ସରକାରୀ ଗାଡ଼ି ପଠାଇ ପପିନାଙ୍କୁ ୨୦ କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ର ଖୁଣ୍ଟାପଡା ବ୍ରହ୍ମେଶ୍ୱର ହାଇସ୍କୁଲରେ ଛାଡ଼ିଛନ୍ତି ତହସିଲଦାର । ପରୀକ୍ଷା ସରିବା ଯାଏଁ ପପିନାଙ୍କୁ ତହସିଲଦାର ଏମିତି ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ନୟାଗଡ଼ କୃଷ୍ଣଚନ୍ଦ୍ରପୁର ପାଟଣାର ପ୍ରଦୀପ ନାୟକ ନାମକ ଜଣେ ଛାତ୍ର ପରୀକ୍ଷା ଦେବାକୁ ଆସି ନିଖୋଜ ହେବା ଏବଂ ପରେ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଯାହାଙ୍କୁ ଭୂତପଲ୍ଲୀ ଗାଁ ପାଖରୁ ଆମ୍ବଗଛ ମୂଳରୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ ଗାଁ ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି କହିଛନ୍ତି ଛାତ୍ର ଜଣକ । ଅନ୍ୟପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସ୍କୁଲ ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ।

ଆଜି ପ୍ରଥମ ଦିନରେ ରାଜ୍ୟର ୩ ହଜାର ୨୧୮ଟି କେନ୍ଦ୍ରରେ ସରିଛି ମାଟ୍ରିକ ପରୀକ୍ଷା । ଏବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଆଜି ଥିଲା ମାତୃଭାଷା । ପିଲା କହିଛନ୍ତି, ପ୍ରଥମ ଦିନ ଭଲରେ ଭଲରେ ଯାଇଛି ।

ସେପଟେ ପରୀକ୍ଷାରେ ଅନିୟମିତତା ପାଇଁ ବ୍ରହ୍ମଗିରି ଛୋଟପୁର ମଦନମୋହନ ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ର ଅଧୀକ୍ଷକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି ।