• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା । ସେଥି ପାଇଁ ଚାପଗ୍ରସ୍ତ ପରୀକ୍ଷାର୍ଥୀ । କେତେବେଳେ ଅଭିଭାବକ ତ ଆଉ କେତେବେଳେ ଶିକ୍ଷକଙ୍କ ଦ୍ୱାରା ପିଲାମାନେ ମାନସିକ ଭାବେ ଭାରାକ୍ରାନ୍ତ ହେଉଛନ୍ତି । ଏପରି ସ୍ଥଳେ ପିଲାଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ଗଣଶିକ୍ଷା ବିଭାଗ ଜାରି କରିଛି ଟୋଲ୍ ଫ୍ରି ନମ୍ୱର । ପିଲାମାନେ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ପରାମର୍ଶ ନେଇପାରିବେ ।

ଆସିଲା ପରୀକ୍ଷା ଋତୁ । ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ । CBSE , I CSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଫେବ୍ରୁଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ସେହିପରି ଫେବ୍ରୁଆରୀ ୧୬ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଏବଂ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ।

କ୍ୟାରିୟରର ପ୍ରଥମ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବାରୁ ଦଶମ ପରୀକ୍ଷାର୍ଥୀଙ୍କ ଉପରେ ଚାପ ଅଧିକ ରହିବା ସ୍ୱାଭାବିକ । ସେହିପରି ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ଚିନ୍ତା ପରୀକ୍ଷା ଭଲ ହେଲେ ଯାଇ ଭଲ ମେଡିକାଲ୍, ଇଞ୍ଜିନିୟରିଂ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ିବାର ସୁଯୋଗ ମିଳିବ । ଯେଉଁଥି ପାଇଁ ଶେଷ ମୁହୂର୍ତ୍ତ ପ୍ରସ୍ତୁତି ବେଳେ ପରୀକ୍ଷାର୍ଥୀ ଏବେ ଚାପରେ ।

ସେପଟେ ପରୀକ୍ଷାର୍ଥୀଙ୍କ ଉପରୁ ଚାପ କମାଇବା ପାଇଁ ଗଣଶିକ୍ଷା ବିଭାଗ ଆରମ୍ଭ କରିଛି ଟେଲି ମାନସ ବ୍ୟବସ୍ଥା । ଜାରି କରାଯାଇଛି ଟୋଲ ଫ୍ରି ନମ୍ୱର ୧୪୪୧୬ । ପରୀକ୍ଷାର୍ଥୀ ମାନେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ସିଧା ସଳଖ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ସହ କଥା ହୋଇ ପରାମର୍ଶ ନେଇପାରିବେ । ବିଶେଷ କରି ବୋର୍ଡ ପରୀକ୍ଷା ସମୟରେ ପିଲାଙ୍କ ଠାରୁ ଅଭିଭାବକମାନଙ୍କ ଅତ୍ୟଧିକ ଆଶା, ଶିକ୍ଷକ ଓ କୋଚିଂ ସେଣ୍ଟର୍ ପକ୍ଷରୁ ଦିଆଯାଇଥିବା ରେଜଲ୍ଟ ଟାର୍ଗେଟ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିଥାଏ ।

ପିଲାଙ୍କ ଉପରୁ ପରୀକ୍ଷାଜନିତ ଚାପ କମାଇବା ପାଇଁ ପରୀକ୍ଷା ପଦ୍ଧତିରେ ଅନେକ ସଂସ୍କାର ଅଣା ଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଚାପ ମୁକ୍ତ ହେଇ ପରୀକ୍ଷା ଦେବାକୁ ପିଲାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବାର୍ତ୍ତା ଦେଇଛନ୍ତି । ଏସବୁ ସତ୍ତ୍ୱେ କିନ୍ତୁ ପରୀକ୍ଷା ସମୟରେ ପିଲାଙ୍କ ଉପରେ ଚାପ ରହୁଥିବା ଦେଖାଯାଉଛି ।

  • Reported by:
  • JAGDISH DAS , BIBARTAN PANDA