• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

OAS ମେନ୍ ପରୀକ୍ଷା ମୂଲ୍ୟାୟନ ପାଇଁ ମିଳୁ ନାହାଁନ୍ତି ପ୍ରାଧ୍ୟାପକ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ପ୍ରାଧ୍ୟାପକଙ୍କୁ ରିଲିଭ୍ କରୁନଥିବାରୁ ଉପୁଜିଛି ସମସ୍ୟା । ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ସହଯୋଗ ଲୋଡ଼ିଲେ OPSC କର୍ତ୍ତୃପକ୍ଷ । ସେପଟେ ଓଏଏସ ଆଶାୟୀଙ୍କ ଭିତରେ ରେଜଲ୍ଟ ବାହାରିବାରେ ବିଳମ୍ବ ନେଇ ଆଶଙ୍କା ବଢ଼ିଲାଣି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ହେଲା ପ୍ରାଧ୍ୟାପକ ଅଭାବ, ନାକ୍ ଟିମ୍ ପରିଦର୍ଶନ ଓ ଯୁକ୍ତ ତିନି ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକମାନଙ୍କୁ ଛାଡ଼ିବା ସମ୍ଭବ ପର ହେଉନି ।

OPSC ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡି । ବାରମ୍ବାର ନିବେଦନ ପରେ ବି ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉ ନାହାନ୍ତି ପ୍ରାଧ୍ୟାପକ । ବିଳମ୍ବ ହେବ କି oas main ପରୀକ୍ଷା ଫଳ ପ୍ରକାଶନ ? opsc ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଲେଖାଯାଇଥିବା ଚିଠିରେ କମିଶନ ଉଲ୍ଲେଖ କରିଛନ୍ତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ବିଷୟର ସହକାରୀ ପ୍ରାଧ୍ୟାପକଙ୍କୁ ଖାତାଦେଖା କାମରେ ନିୟୋଜିତ କରିବାକୁ ଅନୁରୋଧ କରାଯାଇଥିଲା ।

ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ ଏଥିପାଇଁ ଅକ୍ଷମତା ପ୍ରକାଶ କରିଥିଲେ । ତେଣୁ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶ ଦେବା ଲାଗି ଚିଠିରେ ଅନୁରୋଧ କରାଯାଇଛି । ଚିଠିରେ ଏହାବି କୁହାଯାଇଛି ୯୫୫ ଜଣ ଗୃହ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି । ଯଦି ଖାତାଦେଖା ଠିକ୍ ସମୟରେ ନସରେ ତାହାଲେ ଫଳ ପ୍ରକାଶରେ ବିଳମ୍ବ ହୋଇପାରେ । ସେପଟେ OPSCର ଅନୁରୋଧ ପରେ, ଉଚ୍ଚଶିକ୍ଷା ବିଭାଗ ରମାଦେବୀ କୁଳସଚିବଙ୍କୁ ସହଯୋଗ ପାଇଁ ପତ୍ର ଲେଖିଛନ୍ତି । ସେପଟେ ମୂଲ୍ୟାୟନଜନିତ ସମସ୍ୟାକୁ ନେଇ ଓଏଏସ ଆଶାୟୀଙ୍କ ଭିତରେ ଏବେ ଅନେକ ଆଶଙ୍କା ଦେଖା ଦେଲାଣି ।

ପ୍ରଶ୍ନ ଉଠୁଛି ଭାତ ହାଣ୍ଡିରୁ ଇଏ ଗୋଟିଏ ନୁହେଁ ତ ? ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଖାତା ମୂଲ୍ୟାୟନରେ କାହିଁକି ଏଭଳି ସମସ୍ୟା ଉପୁଜିଲା ? ରମାଦେବୀ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ opsc ପକ୍ଷରୁ କୁହଯାଇଛି ଯେ, କେବଳ ଗୃହ ବିଜ୍ଞାନ ବିଷୟକୁ ଛାଡ଼ିଦେଲେ ଅନ୍ୟ ବିଷୟର ମୂଲ୍ୟାୟନ ସଠିକ୍ ଭାବେ ଚାଲିଛି ।

ସେପଟେ ବିଭିନ୍ନ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ୍ ଅଧ୍ୟକ୍ଷଙ୍କ ମତ ହେଲା, ଆବଶ୍ୟକ ସଂଖ୍ୟା ଠାରୁ କମ୍ ପ୍ରାଧ୍ୟାପକ ରାଜ୍ୟରେ ଅଛନ୍ତି । ଯେଉଁଥିପାଇଁ ଏଭଳି ସ୍ଥିତି । ଦ୍ୱିତୀୟରେ ନାକ୍ ଟିମ୍ ବର୍ତ୍ତମାନ ଶିକ୍ଷାନୁଷ୍ଠାନକୁ ଆସୁଛନ୍ତି । ଏ ସମୟରେ ପ୍ରାଧ୍ୟାପକମାନଙ୍କୁ ଛାଡ଼ିଲେ ନାକ୍ ରାଙ୍କିଂରେ ପ୍ରଭାବ ପଡିପାରେ । ତୃତୀୟରେ ସରକାର ଜୁଲାଇ ୭ ସୁଦ୍ଧା ଯୁକ୍ତ ତିନି ଶେଷ ବର୍ଷ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏବେ ଅଧ୍ୟାପକ ଅଧ୍ୟାପିକାମାନେ ଯୁକ୍ତ ତିନି ଖାତା ଦେଖୁଛନ୍ତି ।

  • Reported by:
  • JAGDISH DAS