• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଟ୍ରିକ୍ ପରୀକ୍ଷା ବିଭ୍ରାଟରେ ଯୋଡ଼ି ହେଲା ନୂଆ ଟ୍ରେଣ୍ଡ । ପ୍ରଶ୍ନପତ୍ର ଭାଇରାଲ୍ ପରେ ପ୍ରଶ୍ନପତ୍ରରେ ତ୍ରୁଟି । ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷାବିତ୍ ଚିନ୍ତାପ୍ରକଟ କରିଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି ।

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ । କେତେବେଳେ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ୍ ତ ଆଉ କେତେବେଳେ ଭୁଲ୍ ପ୍ରଶ୍ନପତ୍ରକୁ ନେଇ ଦେଖାଦେଉଛି ବିବାଦ ।

ଗତକାଲି ସାମାଜିକ ବିଜ୍ଞାନ ପରୀକ୍ଷାରେ ସେଟ୍ ବି' ପ୍ରଶ୍ନପତ୍ରରେ ସେଟ୍ ଏ ର ପ୍ରଶ୍ନ ପଡିଥିଲା । ଯାହାକୁ ବୋର୍ଡ ବି ସ୍ୱୀକାର କରିଛି । କିନ୍ତୁ ବୋର୍ଡ ସ୍ପଷ୍ଟୀକରଣ ଦେଇଛି ଯେ ଏହା ମୁଦ୍ରଣଜନିତ ତ୍ରୁଟି, ମୂଲ୍ୟାୟନ ବେଳେ ପିଲାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ଏଠି ପ୍ରଶ୍ନ ଉଠୁଛି, ସିବିଏସ୍ଇ ଭଳି ଢାଞ୍ଚାକୁ ବୋର୍ଡ ଆପଣାଉଛି ।

ଏଥର ପରୀକ୍ଷା ପଦ୍ଧତିରେ ବି ସଂସ୍କାର ଆଣି ବର୍ଷକୁ ଦୁଇଟି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା କରାଯାଇଛି । ତେବେ କେଉଁଠି ତ୍ରୁଟି ରହିଲା ? ପ୍ରଶ୍ନପତ୍ର ପ୍ରସ୍ତୁତି ଦାୟିତ୍ୱରେ ଥିବା ଅଧିକାରୀ କାହିଁକି ଦାୟୀ ରହିବେନି ? ଶିକ୍ଷାବିତ୍‌ଙ୍କ ମତରେ ବୋର୍ଡ ବ୍ୟବସ୍ଥାରେ ଅଧିକ ସଂସ୍କାର ଆସିବାର ଆବଶ୍ୟକତା ରହିଛି । ଅଭିଭାବକ ସଂଘ କହିଛି ପ୍ରଶ୍ନପତ୍ର ପ୍ରସ୍ତୁତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।

ଗତ କିଛି ବର୍ଷ ହେବ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେବା ଏକ ଟ୍ରେଣ୍ଡ ପାଲଟିଗଲାଣି । ୨୦୧୭-୧୮ରୁ ଚଳିତ ଥର ଯାଏ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେଉଛି । କେତେବେଳେ ଉତ୍ତର ସହ ତ ଆଉ କେତେବେଳେ କେବଳ ପ୍ରଶ୍ନ ସୋସିଆଲ୍ ମିଡିଆରେ ପରୀକ୍ଷା ପୂର୍ବରୁ ଘୁରିବୁଲୁଛି ।

ଏହାକୁ ରୋକିବା ଲାଗି ବୋର୍ଡ ପକ୍ଷରୁ ହବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟ ବଦଳାଗଲା । ପରୀକ୍ଷକ ଓ କର୍ମଚାରୀଙ୍କ ମୋବାଇଲ୍ ସେଟ୍ ଉପରେ ବି କଟକଣା ଲାଗିଛି । ପୂର୍ବରୁ ଭାଇରାଲ୍ ରୋକିବାକୁ ପ୍ରଶ୍ନପତ୍ରକୁ କୋଡିଂ କରି ଭାଇରାଲକାରୀଙ୍କୁ ଧରିବାକୁ ଯୋଜନା କରିଥିଲା ବୋର୍ଡ । ମାତ୍ର ଭାଇରାଲକାରୀଙ୍କୁ ଏସବୁ ଯେମିତି କାଟୁ କରିନି। ବିଭାଗୀୟ ମନ୍ତ୍ରୀ କହିଛନ୍ତି ତ୍ରୁଟି ଶୂନ୍ୟ ପରୀକ୍ଷା ଲାଗି ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି ଓ ପଦକ୍ଷେପ ନିଆଯାଉଛି।

ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ ବିଧାନ ସଭାରେ ବି ଉଠିଲାଣି । ମାତ୍ର ସିବିଏସ୍ଇ ଢାଞ୍ଚାକୁ ଆପଣାଉଥିଲେ ବି ରାଜ୍ୟ ବୋର୍ଡ ପ୍ରଶ୍ନପତ୍ର ଭାଇରାଲ ଓ ତ୍ରୁଟି ରେ କାହିଁକି ରୋକ୍ ଲାଗିପାରୁନି, ତାକୁ ନେଇ ସାଧାରଣରେ ପ୍ରଶ୍ନ ।

ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଅଶୋକ ସାହୁଙ୍କ ସହ ବିବର୍ତ୍ତନ ପଣ୍ଡା ଓ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି...