• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା ।

  • ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ ।

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢାଇବାକୁ ନେଇ ବୈଠକରେ ହୋଇଛି ନିଷ୍ପତ୍ତି । ଏଥିଲାଗି ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ଓଡିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ହେବ ।

ଖୁବ ଶୀଘ୍ର ଏନେଇ ସଂସ୍ଥା, କମିଟି ଗଠନ କରି ଅନୁବାଦ କାମ ଆରମ୍ଭ ହେବ ବୋଲି ନିଷ୍ପତି ହୋଇସାରିଛି । ତେବେ ଇଞ୍ଜିନିୟରିଂ ଟର୍ମ ଗୁଡିକରେ ବିଶେଷ ପରିବର୍ତ୍ତନ ନହୋଇ କେବଳ ସରଳ ଭାଷାରେ ଅନୁବାଦ ହେବ । ଉଦ୍ଦେଶ୍ୟ ହେଉଛି ପଛୁଆ ଅଞ୍ଚଳର ପିଲାଙ୍କ ଇଞ୍ଜିନିୟର ହେବା ସ୍ୱପ୍ନରେ ଯେପରି ଇଂରାଜୀ ଭାଷା ବାଧକ ନସାଜୁ । ସେପଟେ ଓଡିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ, ଓପେକାର କହିବା ଅନୁଯାୟୀ, ଏହା ନିଷ୍ପତି ଦ୍ୱାରା ଫାଙ୍କା ପଡୁଥିବା ଇଞ୍ଜିନିୟରିଂ ସିଟ୍ ଗୁଡିକ ପୂରଣ ହୋଇପାରିବ ।

ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନକୁ ନୂଆ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି । ଓଡ଼ିଆରେ ପଢ଼ାଇବା ବ୍ୟବସ୍ଥା ହେଲେ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ ବିଶେଷ ଲାଭପ୍ରଦ ହୋଇପାରିବେ । ପୂର୍ବରୁ ତାମିଲ, ତେଲୁଗୁ, ମାଲାୟଲମ୍, କନ୍ନଡ, ମରାଠୀ, ଗୁଜୁରାଟୀ, ବେଙ୍ଗଲୀ, ହିନ୍ଦୀ ଭଳି ୮ଟି ଭାଷାରେ ଇଞ୍ଜିନିୟରିଂ ପାଠ ପଢାଯାଉଛି । ଏବେ ନବମ ଭାଷା ଭାବେ ଓଡ଼ିଆରେ ଇଞ୍ଜିନିୟରିଂ ପଢାଯିବ । ତେବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ରାଜ୍ୟରେ ୮୮ଟି ଘରୋଇ ଓ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜ ରହିଛି । ପ୍ରତିବର୍ଷ ପ୍ରାୟ ୩୦ରୁ ୩୫ ହଜାର ଛାତ୍ରଛାତ୍ରୀ ଆଡମିଶନ ନେଇଥିବା ବେଳେ ପ୍ରାୟ ୧୦ ହଜାର ସିଟ୍ ଖାଲି ପଡୁଛି । ଏପଟେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନର ରୂପରେଖ ପ୍ରସ୍ତୁତ ଲାଗି ଆସନ୍ତା ୨୫ ତାରିଖରେ ଚୂଡାନ୍ତ ବୈଠକ ବସିବ ।