• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ଲାକ ବୋର୍ଡର ଲମ୍ବ ୩୦ ଫୁଟ । ଗୋଟିଏ ବ୍ଲାକବୋର୍ଡରେ ପାଠ ପଢୁଛନ୍ତି ପ୍ରଥମରୁ ୫ମ ଯାଏଁ ପିଲା । ୩୦ ଫୁଟିଆ ବ୍ଲାକ୍ ବୋର୍ଡରେ ତଳେ ବସି ପାଠ ପଢାଉଛନ୍ତି ସାର୍ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଧାଡ଼ିଆମ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ସେପଟେ ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।

ସରକାର ପିଲାଙ୍କ ପାଠ ପଢ଼ା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ  କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ପ୍ରତ୍ୟେକ ବଜେଟ୍‌ରେ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଆଗତ କରାଯାଉଛି । ହେଲେ ବାସ୍ତବରେ ଏହି ଟଙ୍କା ଖର୍ଚ୍ଚ ହେଉଛି କେଉଁଠି ? ତାହା ସାଧାରଣ ଲୋକଙ୍କ ଆଖିରେ ପଡ଼ୁନି । ଏକଥା ଆମେ କହୁ ନାହୁଁ ବରଂ ବିଭିନ୍ନ ସରକାରୀ ସ୍କୁଲ ଦେଖିଲେ ଆପଣ ବି ଜାଣିପାରିବେ । ଆଉ ସମାନ କଥା ଦୋହରାଇବେ । ଏତେ ଟଙ୍କା ଯାଉଛି କୁଆଡ଼େ । ଖର୍ଚ୍ଚ ହେଉଛି କେଉଁଠି ?

ଆମେ ଆଜି ଯେଉଁ ସ୍କୁଲ କଥା କହୁଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଗୋଟିଏ ସ୍କୁଲରେ ପ୍ରସ୍ତୁତ କରାଯାଇଛି ୩୦ ଫୁଟିଆ ବ୍ଲାକ୍‌ ବୋର୍ଡ । ଆପଣ ଭାବୁଥିବେ ଏଥିରେ ଅସୁବିଧା କ’ଣ ? କଳାପଟାଟି ସ୍କୁଲ ଘରର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଲମ୍ବିଛି । ଖାଲି ସେତିକି ନୁହେଁ ଏହା ଚଟାଣକୁ ଲାଗିକି ରହିଛି । ସେଥିପାଇଁ ସାର୍‌ମାନଙ୍କୁ ତଳେ ବସି ପାଠ ପଢ଼େଇବାକୁ ପଡୁଛି । ଶ୍ରେଣୀ ଘର ନଥିବାରୁ ଏଠାରେ ପ୍ରଥମରୁ ପଞ୍ଚମ ଯାଏ ପିଲା ଭାଗ ଭାଗ ହୋଇ ବସନ୍ତି । ତେବେ ସ୍କୁଲର ଏହି ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

ଅନ୍ୟପଟେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ କହିଛନ୍ତି, ପିଲାଙ୍କ ପାଠ ପଢ଼ା ସମସ୍ୟା ନେଇ ସ୍ଥାନୀୟ ଜନପ୍ରତିନିଧି ତଥା ପଞ୍ଚାୟତ ଅଫିସ୍‌କୁ ସେ ଅବଗତ କରିଛନ୍ତି । ଏବେ ସ୍କୁଲ ପାଇଁ କିଛି ଟଙ୍କା ନଥିବାରୁ କିଛି କରାଯାଇପାରିବ ନାହିଁ ବୋଲି ତାଙ୍କୁ ଉତ୍ତର ମିଳିଛି । ଏହାସହ ଖୁବ୍‌ଶୀଘ୍ର ଟଙ୍କା ଆସିଲେ ସ୍କୁଲରେ ସୁବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

(ରିପୋର୍ଟ- ମିହିର ଜତି, ମୋହନା)