• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ପେଶାଲ ଏଜୁକେଟର ବା ସ୍ୱତନ୍ତ୍ର ଶିକ୍ଷକ ନଥାଇ ରାଜ୍ୟରେ ପାଠ ପଢୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦେଉ ନାହାଁନ୍ତି ରାଜ୍ୟ ସରକାର । ଏପଟେ ତାଲିମ୍ ପ୍ରାପ୍ତ ମାଳ ମାଳ ଆଶାୟୀ, ଚାକିରିକୁ ଅନାଇ ଅନାଇ ହତାଶ ହେବା ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ଆରମ୍ଭ କରିଛନ୍ତି । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଥିବା କହିଛି ଗଣଶିକ୍ଷା ବିଭାଗ ।

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସରକାର ନିଯୁକ୍ତ କରୁନାହାନ୍ତି ସ୍ୱତନ୍ତ୍ର ଶିକ୍ଷକ । ଫଳରେ ସରକାରୀ ସ୍କୁଲ୍‌ରୁ ଆରମ୍ଭ କରି ଘରୋଇ ସ୍କୁଲ୍ ଯାଏ ସବୁଠି ହଇରାଣ ହେଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ତାଲିମ ପ୍ରାପ୍ତ ଶିକ୍ଷକ ନଥିବାରୁ ସାଧାରଣ ପିଲାଙ୍କ ସହ ଗୋଟିଏ କ୍ଲାସ୍‌ରେ ବସିବା ଦ୍ୱାରା ଏମାନଙ୍କ ପାଠପଡ଼ା ପ୍ରଭାବିତ ହେଉଛି । ଅର୍ଥାତ୍ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ସମ୍ଭବ ହୋଇପାରୁନି ଇନ୍‌କ୍ୟୁସିଭ୍ ଏଜୁକେସନ୍ ।

ରାଜ୍ୟର ୬୪ ହଜାର ସ୍କୁଲ୍‌ରେ ପ୍ରାୟ ୮୨ ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ଏମାନଙ୍କ ଲାଗି ଆବଶ୍ୟକ ସଂଖ୍ୟାକ ସ୍ପେଶାଲ ଏଜୁକେଟର ନାହାଁନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । 

୬ ମାସ ଭିତରେ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ପାଇଁ ଗତ ବର୍ଷ ଅକ୍ଟୋବରରେ ସୁପ୍ରିମ୍‌କୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ । ବିହାର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ତ୍ରିପୁରା ଭଳି ରାଜ୍ୟ ଏହାକୁ କାର୍ଯ୍ୟକାରୀ ବି କରିଛନ୍ତି । କିନ୍ତୁ ଓଡିଶା ସମେତ ଆଉ କିଛି ରାଜ୍ୟ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିନାହାନ୍ତି । ସ୍ପେଶାଲ ଏଜୁକେଟର ନିଯୁକ୍ତି ନେଇ ଏନେଇ ସବୁ ରାଜ୍ୟ କି ପଦକ୍ଷେପ ନେଇଛନ୍ତି ଜଣାଇବା ପାଇଁ କହିଛନ୍ତି ସର୍ବୋଚ୍ଚ କୋର୍ଟ । ଯାହାର ପରବର୍ତ୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବ ।

ଏପଟେ ଚାକିରି ମିଳୁନଥିବାରୁ ବେକାର ବସିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢାଇବା ଲାଗି ସ୍ୱତନ୍ତ୍ର ତାଲିମ୍ ନେଇଥିବା ପ୍ରାୟ ୪ ହଜାର ଆଶାୟୀ । ହତାଶ ହୋଇ ଶେଷରେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ଲାଗି ସଜବାଜ ଆରମ୍ଭ କରିଛନ୍ତି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି ।

ନିୟମ କହୁଛି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୧୦ ପିଲାରେ ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବେ । ଟିଚିଂ, ଲର୍ଣ୍ଣିଂ ମାଟେରିଆଲ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗାଇବ । ଘରୋଇ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନଥିଲେ ସାର୍ଟିଫିକେଟ ଅଫ୍ ରେକଗନିସନ୍ ବା ସରକାରୀ ସ୍ୱୀକୃତି ମିଳିବ ନାହିଁ । ଏତେସବୁ ନିୟମସତ୍ତ୍ୱେ ବି ଦିବ୍ୟାଙ୍ଗ ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି ।