ଛଣ ଛପର ସ୍କୁଲ-ଗୋବର ଲିପା ଚଟାଣ-ଜରିପାଲ କାନ୍ଥ ! ଏମିତି ଚାଲିଛି ସ୍କୁଲ..

ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।

School

ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ ତାର ପ୍ରଚାର ପାଇଁ ତାଠୁ ବଳିକି ଟଙ୍କା ପାଣି ଭଳି ବୁହାଉଛନ୍ତି । ହେଲେ ବାସ୍ତବରେ ପିଲାଙ୍କ ପାଠ ପଢ଼ା କେମିତି ଚାଲିଛି, ସେ ବାବଦରେ ନିଇତି ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।

ଠିକ୍‌ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଖୋଦ୍‌ କଟକ ସହର ଅରିଲୋ ପଞ୍ଚାୟତ ଆଦିବାସୀ ସାହିରେ । ଛଣ ଛପର ଅଧାଗଢା କୁଡିଆ । ଉପରକୁ ଦେଖିଲେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଆନ୍ତି । କିଛି ବାଉଁଶ ଖମ୍ବ ସାହାଯ୍ୟରେ ଠିଆ ହୋଇଛି ଏହି ଛଣ ଛପର ଘର । ଆଉ ଚାରିପଟେ ଗୁଡାଯାଇଛି ଖଣ୍ଡିଆ ଜରିପାଲ । ଚଟାଣ କଥା ତ ନକହିବା ଭଲ । କାରଣ ପୁରା ଚଟାଣ ମାଟିରେ ତିଆରି । ପିଲା ବସିବା ପାଇଁ ଗୋବର ଲିପା ଯାଇଛି ।

କେମିତି ଏଇ ଝାଟିମାଟି କୁଡିଆରେ ଚାଲିଛି ପାଠପଢା । ବର୍ଷାଠୁ ଖରା, ଶୀତଠୁ ବସନ୍ତ, ସବୁ ବେଳେ ଏମିତି ଘରେ ଚାଲେ ସ୍କୁଲ । ହେଲେ ବର୍ଷା ହେଲେ ଏଇଠି ପାଠ ପଢ଼ିବା କଷ୍ଟକର ବ୍ୟାପାର । ତେଣୁ ପାଖ ପିଣ୍ଡା ହିଁ ସେତେବେଳେ ପାଲଟିଯାଏ ସ୍କୁଲ । ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୨୫ ଜଣରୁ ଅଧିକ ପିଲା ପାଠ ପଢୁଛନ୍ତି । ବାରମ୍ବାର କହିବା ପରେ ସ୍କୁଲଟିଏ ହେଲାନି । ତେଣୁ ଗାଁ ଲୋକଙ୍କ ଉଦ୍ୟମରେ ଏମିତି ଚାଳଛପର ଘରେ ଏବେ ଚାଲିଛି ସ୍କୁଲ ।

ତେବେ ଏହି ସ୍କୁଲକୁ ଦେଖିଲେ ସ୍ପଷ୍ଟ ଅନୁମେୟ ଯେ, ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଆମ ଦେଶର ଭବିଷ୍ୟତଙ୍କୁ । କେତେ ଗୁରୁତ୍ୱ ଦେଉଛନ୍ତି ପିଲାଙ୍କ ପାଠ ପଢ଼ାକୁ ।

ପୂର୍ବରୁ ଏହି ଗାଁ ଜଗତସିଂହପୁର ଜିଲ୍ଲା ଅଧୀନରେ ଥିବା ବେଳେ ୨୦୧୯ ମସିହାରେ ଏହା କଟକ ଜିଲ୍ଲା ଅଧିନକୁ ଆସିଥିଲା । ତେବେ ଯଥା ପୂର୍ବ ତଥା ପରଂ ନ୍ୟାୟରେ ଏବେ ବି ଅବହେଳିତ ହୋଇ ରହିଛି ଏଇ ସ୍କୁଲ । ଆଉ ସେହି ଛଣଛପର ଘରେ ଚାଲିଛି ପାଠପଢା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍କୁଲ ସମସ୍ୟା ସମ୍ପର୍କରେ ଜଣେ ସମାଜସେବୀ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିଥିଲେ, ହେଲେ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ସ୍କୁଲର ଉନ୍ନତି ହୋଇପାରିଲାନି ।

ସଭିଏଁ ପଢିବେ ସଭିଏଁ ବଢିବେ ସହ ମୋ ସ୍କୁଲ ଅଭିଯାନକୁ ନେଇ ମାଳମାଳ ବିଜ୍ଞାପନ ଓ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ହେଲେ କଟକ ଭଳି ଅଗ୍ରଣୀ ଜିଲ୍ଲାରୁ ଆସିଛି ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର । ସତରେ ଏହି ସ୍କୁଲ ଖୋଲି ଦେଇଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ଗୁମର ।

 

(ରିପୋର୍ଟ- ପ୍ରଭାତ ବିଷୋୟୀ, କଟକ)