• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତା ୮ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ । ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ଘୋଷଣା ଅବସରରେ ଏ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଅନ୍ୟପଟେ ଆସନ୍ତାବର୍ଷଠାରୁ ଯୁକ୍ତଦୁଇରେ ଆସିବ ବ୍ୟାପକ ସଂସ୍କାର। ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷାରେ ଆସିବ ସଂସ୍କାର। 

ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ପ୍ରକ୍ରିୟା ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବ। ଏହାସହ ଆସନ୍ତା ବର୍ଷ ଠାରୁ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀ ମାନେ www. orissaresults.nic.in ୱେବ୍‌ସାଇଟ୍ ଓ ସାମ୍ସ ପୋର୍ଟାଲ୍‌ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ । ଯୁକ୍ତ ଦୁଇ ବିଜ୍ଞାନରେ ପୁଅଙ୍କ ସଫଳତା ହାର ୮୪.୨୮% । ବାଣିଜ୍ୟରେ ୮୩.୮୭% ଝିଅ ପାସ୍, ପୁଅଙ୍କ ପାସ୍ ହାର ୭୯.୫୨% ରହିଛି ।

ଏଥର ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୨୯୧ ଟି HSCରେ ଶତ ପ୍ରତିଶତ ରେଜଲ୍ଟ। ୨ଟି ସ୍କୁଲରେ କେହି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି ।

ସେହିପରି ଯୁକ୍ତ ୨ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ବାଣିଜ୍ୟରେ ମୋଟ୍ ପରୀକ୍ଷାର୍ଥୀ ୨୪,୦୮୨ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଣିଜ୍ୟରେ ୯୩.୯% ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଛି। ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ। ବାଣିଜ୍ୟରେ ୯୪ଟି HSCରେ ଶତପ୍ରତିଶତ ରେଜଲ୍ଟ ।