• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏଥର ବି ବିଭ୍ରାଟ ବିବାଦରୁ ମୁକୁଳି ପାରିଲା ନାହିଁ ମାଟ୍ରିକ୍ ପରୀକ୍ଷା । ଆଜି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଲା, ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି । କିଛି ପରୀକ୍ଷାର୍ଥୀଙ୍କ B-ସେଟରେ A-ସେଟର ପ୍ରଶ୍ନ ଯୋଡ଼ିହେବା ଏବଂ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ଟି ପ୍ରଶ୍ନ ରହିଥିବା ଦେଖିବାକୁ ମିଳିଛି । ବୋର୍ଡ କର୍ତ୍ତୃପକ୍ଷ ଏବଂ ଗଣଶିକ୍ଷା ମନ୍ତ୍ରୀ ଏହା ମୁଦ୍ରଣଜନିତ ତ୍ରୁଟି ବୋଲି ମାନିବା ସହ ମୂଲ୍ୟାୟନ ସମୟରେ ପିଲାଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

ମାଟ୍ରିକ ପରୀକ୍ଷାକୁ ଛାଡୁନି ବିଭ୍ରାଟ ବିବାଦ... ଏଥର ବି ଦେଖାଦେଇଛି ସାଂଘାତିକ ତ୍ରୁଟି... ୨ ସେଟ୍ ବିଶିଷ୍ଟ ପ୍ରଶ୍ନପତ୍ରରେ ଉପୁଜିଥିବା ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ପରୀକ୍ଷାର୍ଥୀ ଏବେ ଶଙ୍କାରେ । ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ଉପରେ ଲେଖାଯାଇଛି ସେଟ୍-B, କିନ୍ତୁ ଭିତରେ ଅଛି ସେଟ୍-A । ସେହିପରି ସେଟ୍-Bର ପ୍ରଶ୍ନପତ୍ରରେ ୧୯ ନମ୍ବର ପ୍ରଶ୍ନ ନଥିବା ବେଳେ ଓଏମଆର୍ ସିଟରେ କିନ୍ତୁ ରହିଛି ତାହାର ଉତ୍ତର ।

ସେହି ସେଟ୍-ବିରେ ସବୁଠାରୁ ବଡ ତ୍ରୁଟି ହେଲା ୧ରୁ ୬ ନମ୍ବର ଯାଏଁ ଯେଉଁ ପ୍ରଶ୍ନ ରହିଛି, ସେହି ସମାନ ପ୍ରଶ୍ନ ରିପିଟ୍ ହୋଇଛି ୭ରୁ ୧୨ ନମ୍ବର ଯାଏଁ । ହେଲେ ଉତ୍ତର ଖାତା ତଥା OMR ସିଟରେ କିନ୍ତୁ ଚିତ୍ର ଅଲଗା । ଏବେ ଆସିବା ଭୂଗୋଳ ଏବଂ ଅର୍ଥନୀତି ବିଭାଗକୁ । ସେହି ସେଟ୍-Bରେ ସେଟ୍-Aର ୩୩ ନମ୍ବର ପ୍ରଶ୍ନ, ୩୯ ନମ୍ବରରେ ରିପିଟ୍ ହୋଇଛି । ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ବ୍ରହ୍ମପୁର ଭଳି ବହୁ ସ୍ଥାନରେ ଆଜି ଏଭଳି ତ୍ରୁଟି ଦେଖିବାକୁ ମିଳିଥିଲା ।
ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

ସେଟ୍ ବି'ର ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ଥିବା ମାନିଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେବା ସହ କୌଣସି ଅସୁବିଧା ହେବନି ବୋଲି କହିଛନ୍ତି । ତା’ସହ ଆଉ ଥରେ ପରୀକ୍ଷା ହେବାର ଆଶଙ୍କାକୁ ଖଣ୍ଡନ କରି ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ସେପଟେ ବଲାଙ୍ଗିରରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ନେଇ ଲାଗିରହିଛି ଚର୍ଚ୍ଚା । ପରୀକ୍ଷା ଆରମ୍ଭ ପୂର୍ବରୁ ଭାଇରାଲ ପ୍ରଶ୍ନପତ୍ର ମୋବାଇଲକୁ ମୋବାଇଲ ଘୁରି ବୁଲିଥିଲା । ସବଜେକଟିଭ ପ୍ରଶ୍ନପତ୍ର ସେଟ୍ ଭାଇରାଲ ହୋଇଛି । ତେବେ କିଏ କଲା, କେଉଁଠୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ସେଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଛନ୍ତି ।

ମାଟ୍ରିକ ପରୀକ୍ଷାରେ ଏଭଳି ବିଭ୍ରାଟ ସହ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଘଟଣାକୁ ନେଇ ଆଜି ସମ୍ବଲପୁରରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏଥିସହ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।