• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଟୋନମସ କଲେଜରେ MBA କିମ୍ବା MCA ପଢୁଛନ୍ତି କି ? ସାବଧାନ ! ଆଡମିଶନ ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ । କାରଣ ରାଜ୍ୟର ୮ ନାମୀ ଅଟୋନମସ କଲେଜରେ ନାହିଁ AICTE ଅନୁମୋଦନ । ଯାହାକୁ ଧରିଛି ଖୋଦ୍ ଉଚ୍ଚଶିକ୍ଷା ବିଭାଗ ।

ବିନା ଅନୁମୋଦନରେ ଚାଲିଛି ପ୍ରଫେସନାଲ କୋର୍ସ। ତାପୁଣି ସରକାରୀ ସ୍ୱୟଂ ଶାସିତ ଡିଗ୍ରୀ କଲେଜରେ । ପିଲାଙ୍କ ଭବିଷ୍ୟତ ସହ ଖେଳ । ତାଗିଦ୍ କଲା ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଚିଠିର ନକଲରେ ଦର୍ଶାଯାଇଛି, ବିଜେବି, ଏଫ୍ଏମ୍ , ଏସ୍ସିଏସ୍ ସମେତ ରାଜ୍ୟର ୮ଟି ସ୍ୱୟଂ ଶାସିତ କଲେଜରେ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ ବା AICTEର ବିନା ଅନୁମୋଦନରେ ଦୁଇ ବର୍ଷିୟା MBA ଓ MCA କୋର୍ସ ପଢ଼ାଯାଉଛି । ଯାହାକି AICTE ନିୟମର ଉଲ୍ଲଂଘନ ।

ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ସେପଟେ କଲେଜ୍ କର୍ତ୍ତୃପକ୍ଷଙ୍କ ଯୁକ୍ତି ଇଣ୍ଟିଗ୍ରେଟେଡ୍ MBA ଓ MCA ପାଇଁ AICTE ଅନୁମୋଦନର ଆବଶ୍ୟକତା ନାହିଁ ।

ରାଜ୍ୟର ସ୍ୱୟଂ ଶାସିତ କଲେଜଗୁଡ଼ିକରେ ପ୍ରଫେସନାଲ କୋର୍ସ ପଢ଼ିବା ପାଇଁ ଛାତ୍ର ଛାତ୍ରୀଙ୍କ ଭିତରେ ପ୍ରବଳ ଆଗ୍ରହ ରହିଛି । ଯେଉଁଥି ପାଇଁ MBA, MCA ସମେତ ସ୍ପନସର୍ କୋର୍ସ ଖୋଲୁଛନ୍ତି କଲେଜ ଗୁଡ଼ିକ । ପ୍ରତି ବର୍ଷ ପିଲା ବି ଆଡ଼ମିଶନ ନେଉଛନ୍ତି । ମାତ୍ର ଉଚ୍ଚଶିକ୍ଷା ବିଭାଗର ଏଭଳି ତାଗିଦ୍ ପୂର୍ଣ୍ଣ ଚିଠି ପରେ ପିଲାଙ୍କ ଭିତରେ ଆଶଙ୍କା ବଢ଼ିଯାଇଛି । ନାମୀ ଶିକ୍ଷାନୁଷ୍ଠାନର ଏଭଳି କାରନାମା ଅନେକ ପ୍ରଶ୍ନ ସୃଷ୍ଟି କରିଛି । କାହା ସ୍ୱାର୍ଥରେ ବିନା ଅନୁମୋଦନରେ ଚାଲୁଛି କୋର୍ସ ? ଏତେ ବର୍ଷ ଧରି କିପରି ଛାତ୍ରଛାତ୍ରୀଙ୍କୁ ଅନ୍ଧାରରେ ରଖି ପାଠ ପଢା ଚାଲିଥିଲା ?

ଯଦି ସ୍ୱୟଂ ଶାସିତ କଲେଜଗୁଡିକରେ ପ୍ରଫେସନାଲ କୋର୍ସ ପାଇଁ AICTE ଅନୁମୋଦନ ନାହିଁ, ତେବେ ରାଜ୍ୟରେ ଛତୁ ଫୁଟିବା ଭଳି ଖୋଲିଥିବା ଘରୋଇ ଶିକ୍ଷାନୁଷ୍ଠାନର ଅବସ୍ଥା କ’ଣ ହୋଇଥିବା ତାହା ସହଜରେ ଅନୁମାନ କରାଯାଇପାରେ ।

  • Reported by:
  • JAGDISH DAS