Advertisment

+୨ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି, ୧୨ ଛାତ୍ରୀଙ୍କ ଖାତା ମିଳୁନି !

ଖାତା ହଜିବା ନେଇ ଭାଲୁଏସନ୍ ସେଣ୍ଟରର ଚିଠି ପରେ ହଇଚଇ, କାଉନସିଲ କହିଲା ଭୁଲରେ ଯାଇଛି ଅନ୍ୟ କଲେଜ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Plus 2 Exam

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି । ହଜିଗଲା ପିଲାଙ୍କ ପରୀକ୍ଷା ଖାତା । ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ଖାମଖିଆଲ ମନୋଭାବ ଯୋଗୁଁ ୧୨ଜଣ ଛାତ୍ରୀଙ୍କ ସାହିତ୍ୟ ଖାତା ଗାଏବ । ଭାଲୁଏସନ୍ ସେଣ୍ଟରରୁ ସଂପୃକ୍ତ କଲେଜକୁ ଏନେଇ ଚିଠି ଲେଖା ଯାଇଥିବା ବେଳେ ଅନିଶ୍ଚିତତା ଭିତରେ ଅଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକ । ଉତ୍ତର ଖାତା ହଜିବାକୁ ନେଇ ତମ୍ବିତୋଫାନ ଭିତରେ ଖାତାଗୁଡିକ ଅନ୍ୟ ଏକ କଲେଜକୁ ଭୁଲବଶତଃ ଯାଇଥିବା କାଉନସିଲ୍ ସ୍ପଷ୍ଟୀକରଣ ରଖିଛି ।

Advertisment

ଅଭିଯୋଗ ଆସିଛି ବାରିପଦା ର ଶ୍ରୀ ମା ମହିଳା ମହାବିଦ୍ୟାଳୟରୁ । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୧୨ ଟି ଖାତା ଗାଏବ। ଛତ୍ରପୁର ସାଇନ୍ସ କଲେଜ୍ ପକ୍ଷରୁ ବାରିପଦାର ଶ୍ରୀ ମା ମହିଳା ମହାବିଦ୍ୟାଳୟକୁ ଲେଖାଯାଇଥିବା ଏକ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ରୋଲ୍ ନମ୍ବର 149KA090ରୁ 149KA102 ଅର୍ଥାତ୍ ୧୨ଟି ପରୀକ୍ଷା ଖାତା ନାହିଁ । ଉତ୍ତର ଖାତା ଅନୁଧ୍ୟାନ ବେଳେ ମେମୋରେ ଉଲ୍ଲେଖ ଥିବା ନମ୍ବର ଅନୁଯାୟୀ ଖାତା ନଥିବା ଜଣାପଡିଛି । ତୁରନ୍ତ ମିସିଂ ଆନସାର ସିଟ୍ ଉପରେ ଦୃଷ୍ଟି ଦେବାକୁ ସେଣ୍ଟର ସୁପରିନଟେଣ୍ଡେଣ୍ଟଙ୍କୁ ଚିଠିରେ ଜଣାଇଦିଆଯାଇଛି ।

ଶ୍ରୀ ମା ମହିଳା ମହାବିଦ୍ୟାଳୟର ରୁମ୍ ନମ୍ବର ୧୦ରେ ୨୪ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ୧୨ ଜଣ ଛାତ୍ରୀ ସ୍ଥାନୀୟ କଲେଜର ଏବଂ ଅନ୍ୟ ୧୨ ଜଣ ଅନ୍ୟ ଏକ କଲେଜର। କଲେଜ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ପରୀକ୍ଷା ସରିବା ପରେ ଉତ୍ତର ଖାତାକୁ ସିଲ୍ କରି ଅବଜରଭରଙ୍କୁ ଦିଆଯାଇଥିଲା। ଅବଜରଭର ଖାତା ପ୍ୟାକେଟଗୁଡିକୁ ହବ୍ ସେଣ୍ଟରକୁ ନେଇଥିଲେ ଏବଂ ସେଠାରୁ ପୋଷ୍ଟାଲ ମାଧ୍ୟମରେ ପଠାଇ ଦିଆଯାଇଥିଲା ଭାଲୁଏସନ ସେଣ୍ଟର୍ । ତେବେ ଖାତା ହଜିଲା କେଉଁଠି, ତାର ଉତ୍ତର କାହା ପାଖରେ ନାହିଁ। ଏପଟେ ଅନିଶ୍ଚିତତା ଭିତରେ ଅଛନ୍ତି ଛାତ୍ରୀ ଓ ଅଭିଭାବକ ।

Advertisment

ପିଲାଙ୍କ ଉତ୍ତର ଖାତା କୁଆଡେ ଗଲା ? ହଜିଥିବା ଖାତାକୁ ଖୋଜିବ କିଏ ? ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ କି ପଦକ୍ଷେପ ନେବେ ସରକାର ? ଯୁକ୍ତ ଦୁଇ ପରୀକ୍ଷା ନସରୁଣୁ ଉପୁଜିଥିବା ସମସ୍ୟାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । 

ଏପଟେ ପିଲାଙ୍କ ଖାତା ହଜିବା ଉପରେ ସ୍ପଷ୍ଟୀକରଣ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କାଉନସିଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ମା ମହିଳା ମହାବିଦ୍ୟାଳୟରେ କଳା ବିଭାଗର ମାତୃଭାଷାର ହଜିଥିବା ୧୨ଟି ଖାତା ମିଳିଛି । ଅନ୍ୟ ଏକ କଲେଜକୁ ଭୁଲବଶତଃ ଏହି ଖାତାଗୁଡିକ ଯାଇଥିଲା। ତେବେ ଖାତା କେମିତି ଅନ୍ୟ କଲେଜକୁ ଗଲା, ଏଥିପାଇଁ କିଏ ଦାୟୀ ? ତାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଲାଗି ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Question Paper Leak Plus Two Exam
Advertisment
Advertisment