/odishatv-khabar/media/post_attachments/uploadimage/library/16_9/16_9_0/Students_1697553316.jpg)
Students
ଉପାନ୍ତ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଫାଇଭ୍ ଟି ପ୍ରାବଧାନ ସତ୍ତ୍ୱେ ଖୋଲା ଆକାଶ ତଳେ କାଲିର ଭବିଷ୍ୟତ । ଶ୍ରେଣୀଗୃହ ଅଭାବରୁ ଗଛ ମୂଳେ ବିପଦପୂର୍ଣ୍ଣ ପରିବେଶରେ ଚାଲେ ପାଠପଢ଼ା । ଦିନେ ଅଧେ କି ମାସେ ବର୍ଷେ ନୁହେଁ। ଆଜିକୁ ୩ ବର୍ଷ ଧରି ନଦୀକୂଳ ଗଛ ତଳେ ଏମିତି ଅବସ୍ଥାରେ ପାଠ ପଢୁଛନ୍ତି କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ।
ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ୮ଟି ଶ୍ରେଣୀ ପାଇଁ ରହିଛି ମାତ୍ର ଗୋଟିଏ ଶ୍ରେଣୀଗୃହ । ଯେଉଁଠି ବସୁଛନ୍ତି ପ୍ରଥମରୁ ତୃତୀୟ ପର୍ଯ୍ୟନ୍ତ ୩ଟି କ୍ଲାସର ପିଲା। ଆଉ ରୋଷେଇ ଘରେ ବସୁଛନ୍ତି ଚତୁର୍ଥ ଓ ପଂଚମ ଛାତ୍ରଛାତ୍ରୀ । ସପ୍ତମ ଓ ଅଷ୍ଟମ ପିଲାଙ୍କୁ ସିଆରସି ବିଲଡିଂରେ ଆଡଜଷ୍ଟ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ହେଲେ ବିଡ଼ମ୍ବନାର ବିଷୟ, ଆଉକିଛି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଏମିତି ଗଛ ମୂଳ ଖୋଲାମେଲା ପରିବେଶରେ ବର୍ଷ ବର୍ଷ ଧରି ବସି ଆସୁଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ । ଯାହାକୁ ନେଇ ଉଭୟ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ରହିଛି ଉଭୟ ଭୟ ଓ ଅସନ୍ତୋଷର ବାତାବରଣ ।
କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥାକୁ ଦର୍ଶାଉଥିବା ଝିରିପାଣି ସରକାରୀ ସ୍କୁଲର ଏ ବିକଳ ଚିତ୍ରକୁ ନେଇ ଅନେକ ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍କୁଲ କମିଟି ପ୍ରଶାସନକୁ ବାରମ୍ବାର ଅବଗତ କରିଛନ୍ତି। ହେଲେ ଆଜି ଯାଏଁ ଶ୍ରେଣୀଗୃହ ସମସ୍ୟାର ସମାଧାନ ହୋଇପାରିନି। ସ୍କୁଲର ଏ ଅବ୍ୟବସ୍ଥାର ଦୃଶ୍ୟ କୌଣସି ଲୋକ ପ୍ରତିନିଧିଙ୍କ ନଜରକୁ ବି ଆସୁନି। ଫଳରେ ବର୍ଷ ବର୍ଷ ଧରି ନଦୀକୂଳ ଗଛ ମୂଳରୁ ଆଗକୁ ଯାଇ ପାରୁନି ଏ କୁନି କୁନି ଭବିଷ୍ୟତଙ୍କ ଭାଗ୍ୟ ।
ଆଜିକା ଦିନରେ ଶିକ୍ଷା ପାଇଁ ସରକାରଙ୍କ ଡିଣ୍ଡିମ ପିଟା ଯୋଜନା, 5Tର ହଲ୍ଲାବୋଲ ପରେ ଏଠି ପିଲାଙ୍କ ଭାଗ୍ୟରେ କାହିଁକି ଶ୍ରେଣୀ ଗୃହଟିଏ ଜୁଟି ପାରୁନି। ସ୍ମାର୍ଟ ସ୍କୁଲ୍ ଯୁଗରେ ବସିବାକୁ ବେଞ୍ଚ୍, ଲେଖିବାକୁ ବ୍ଲାକବୋର୍ଡ, ଖେଳିବାକୁ ଖେଳପଡ଼ିଆ କି ଟଏଲେଟ୍ ଭଳି ମୌଳିକ ଆବଶ୍ୟକତାଠୁ କାହିଁକ ବଞ୍ଚିତ ହେଉଛନ୍ତି ଦେଶର ଏ ଭବିଷ୍ୟତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)