• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ସୁଇସାଇଡ୍ ସସପେନ୍ସକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ଭୁବନେଶ୍ୱରର ଛାତି ଉପରେ ପୁଣି ଘଟିଛି ଆଉ ଏକ ଅଘଟଣ । ସାଙ୍ଗର ବାନ୍ଧବୀଙ୍କ ବାର୍ଥ ଡେ ପାର୍ଟିକୁ ନିଜ ଗାର୍ଲଫ୍ରେଣ୍ଡ ସହ ଯାଇ ଜଣେ ୨୬ ବର୍ଷିୟ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ, ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀରେ । ଜାଗମରା ସ୍ଥିତ ଏକ ହୋଟେଲରେ ଘଟିଛି ଅଘଟଣ । ପରିବାର ଲୋକଙ୍କ ଅଭିଯୋଗ, ପାର୍ଟିକୁ ଡାକି ପୁଅକୁ ହତ୍ୟା କରାଯାଇଛି । ଖଣ୍ଡଗିରି ପୋଲିସ ମୃତ ଯୁବକଙ୍କ ଗାର୍ଲଫ୍ରେଣ୍ଡ ସହ ୩ ଜଣକୁ ଧରି ଜେରା କରୁଛି ।

ସ୍ମାର୍ଟସିଟିରେ ପୁଣି ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସସପେନ୍ସ... ରାଜଧାନୀର ଛାତି ଉପରେ ଜଣେ ଯୁବକଙ୍କ ଅକାଳ ବିୟୋଗକୁ ନେଇ ଚାଞ୍ଚଲ୍ୟ...ଏ ହେଉଛନ୍ତି ଦୁର୍ଗାପ୍ରସାଦ ମିଶ୍ର । ବୟସ ମାତ୍ର ୨୬ ବର୍ଷ । ଘର ନିଆଳି ଜଳାହାରପୁର । ବନ୍ଧୁ ବିକାଶ କୁମାର ସ୍ୱାଇଁଙ୍କ ବାନ୍ଧବୀଙ୍କ ବାର୍ଥ ଡେ ପାର୍ଟିକୁ ଯାଇ ପ୍ରାଣ ହରାଇଛନ୍ତି ଦୁର୍ଗାପ୍ରସାଦ ।

ଭୁବନେଶ୍ୱର ଜାଗମରାରେ ଥିବା ଏହି ହୋଟେଲରେ ଘଟିଛି ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ । ତାରି ଭିତରେ କ’ଣ ଘଟିଗଲା କେଜାଣି, ଦୁର୍ଗାପ୍ରସାଦଙ୍କୁ ତାଙ୍କ ରୁମରୁ ଉଦ୍ଧାର କରାଯାଇଥିଲା ଝୁଲନ୍ତା ଅବସ୍ଥାରେ । ଆଉ ଏମ୍ସରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁର୍ଗାଙ୍କ ଭଉଣୀଙ୍କ ଅଭିଯୋଗ, ଭାଇକୁ ହତ୍ୟା କରାଯାଇଛି ।

ଶନିବାର ରାତି ପ୍ରାୟ ୨ଟା । ଦୁର୍ଗାପ୍ରସାଦଙ୍କ ମା’ଙ୍କ ମୋବାଇଲକୁ ଆସିଲା ଏକ ଫୋନ କଲ୍। ଫୋନ ରିସିଭ୍ କରିଥିଲେ ଦୁର୍ଗାଙ୍କ ମା’ । ପରେ ଦୁର୍ଗାପ୍ରସାଦଙ୍କ ପରିବାର ଲୋକେ ଦୌଡ଼ିଥିଲେ ଭୁବନେଶ୍ୱର ଏମ୍ସକୁ । ଏମ୍ସ ଯାଇ ଦେଖିଲା ବେଳେକୁ ନିସ୍ତେଜ ହୋଇ ପଡ଼ିରହିଥିଲା ଦୁର୍ଗାପ୍ରସାଦଙ୍କ ମରଶରୀର । ବେକ ଓ ହାତରେ ଦେଖିବାକୁ ମିଳିଥିଲା କ୍ଷତ ଚିହ୍ନ ।

ଏପରିକି ଯେଉଁ ରୁମରୁ ଦୁର୍ଗାଙ୍କୁ ଉଦ୍ଧାର କରାଯାଇଥିଲା ସେହି ରୁମରୁ ଏକ କାଚଖଣ୍ଡକୁ ବି ପୋଲିସ ଜବତ କରିଛି । ତେବେ ବାର୍ଥ ଡେ ପାଳିବାକୁ ଯାଇଥିବା ଦୁର୍ଗାଙ୍କ ସହ ଘଟିଗଲା କ’ଣ ? ଯଦି ଦୁର୍ଗା ଆତ୍ମହତ୍ୟା କରିଥାଇପାରନ୍ତି, ତେବେ କାରଣ କ’ଣ ? ତିନି ତିନି ଜଣ ସାଙ୍ଗରେ ଥାଇ ବି କାହିଁକି ବଞ୍ଚାଇ ପାରିଲେନି ଦୁର୍ଗାପ୍ରସାଦଙ୍କୁ ? ଏଭଳି ପ୍ରଶ୍ନ ଭିତରେ ଖଣ୍ଡଗିରି ପୋଲିସ ଦୁର୍ଗାଙ୍କ ବାନ୍ଧବୀ, ବନ୍ଧୁ ବିକାଶ ଓ ବିକାଶଙ୍କ ବାନ୍ଧବୀଙ୍କୁ ଧରି ତନାଘନା କରୁଛି ।

ଗତ କିଛିଦିନ ହେଲା ନାନା ଅଘଟଣରୁ ରାଜଧାନୀରୁ ରାଜ୍ୟବ୍ୟାପି ପ୍ରାଣ ହରାଉଛନ୍ତି ଯୁବକ ଯୁବତୀ । ଲେଡି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ହୁଅନ୍ତୁ କିମ୍ବା ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ, ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ହୁଅନ୍ତୁ ଅବା ଏଇ ନିକଟରେ ଆତ୍ମହତ୍ୟା କରିଥିବା ଡିଜେ ଆଜେକ୍ସ । ଜଣଙ୍କ ପରେ ଜଣେ ଯୁବକ ଯୁବତୀଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇଉଦବେଗ ପ୍ରକାଶ ପାଇଛି ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ରୋହନଙ୍କ ସହ ଅତୁଲ୍ୟ ବାଉତଙ୍କ ରିପୋର୍ଟ, ଓଟିଭି