Advertisment

କଟକରେ ତାଲିବାନୀ ଶାସନ: ବିଚ୍ ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ପିଟିଲେ ମନ୍ତ୍ରୀଙ୍କ ପୁତୁରା !

ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Youth forced to kneel down on Cuttack road

Youth forced to kneel down on Cuttack road

କଟକ ସହରରେ ବିଚ୍‌ ରାସ୍ତା ଉପରେ ପୁଣି ଗୁଣ୍ଡାରାଜ୍। ଜଣେ ଯୁବକଙ୍କୁ ବାଇକ୍‌ରେ ବାନ୍ଧି ପଛରେ ଦୌଡାଇବା ଘଟଣାକୁ ମନରୁ ନଲିଭୁଣୁ ପୁଣି ଏକ ଘଟଣାର ପୁନରାବୃତ୍ତି ଆତଙ୍କ ସୃଷ୍ଟି କରିଛି। ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ପିଟିଛନ୍ତି ନିଶାସକ୍ତ ଯୁବକ। କଟକ ପ୍ରତାପନଗରୀରେ ଏହି ଘଟଣା ଘଟିଛି। ଏହାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିଲେ ଜଣାପଡୁଛି, ଏ ଅସାମାଜିକ ତତ୍ତ୍ୱମାନେ ଆଇନ୍‌ ଓ ପ୍ରଶାସନକୁ ତିଳେ ମାତ୍ର ଭୟ କରୁନାହାନ୍ତି। 

Advertisment

ଆଜି ସକାଳେ କାର୍ ଓଭରଟେକିଂକୁ ନେଇ ଜଣେ ଯୁବକଙ୍କୁ ପ୍ରାୟ ୧୦/୧୨ ଯୁବକ ଆଣ୍ଠେଇ ଦେଇଥିବା ଅଭିଯୋଗ ହୋଇଛି । ଏହାଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରତିବାଦ କରିଥିଲେ। ଫଳରେ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି।  ଏହାପରେ ଆକ୍ରମଣକାରୀମାନେ ୨ଟି ଗାଡ଼ିରେ କଟକ ଅଭିମୁଖେ ପଳାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଏ ଭିଡିଓଟି ଭାଇରାଲ ହେଉଛି ।

ଏହି ଘଟଣାକୁ ନେଇ କଟକ ସଦର ଥାନାରେ ଆହତ ହୋଇଥିବା କଟକ ପ୍ରତାପନଗରୀର ଜଣେ ଯୁବକ  ୧୦ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି।

Advertisment

ସମ୍ପୃକ୍ତ ମନ୍ତ୍ରୀଙ୍କ ପୁତୁରା ବିଜେଡିର ଜଣେ ଯୁବ ନେତା ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ। ଏହାବାଦ ପୂର୍ବରୁ ବିଭିନ୍ନ ହିଂସାକାଣ୍ଡରେ ସେ ସାମିଲ ଥିବା ଜଣାଯାଇଛି। ଏନେଇ ପୂର୍ବରୁ କଟକ ବାଦାମବାଡ଼ି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏନେଇ ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ସମ୍ପୃକ୍ତ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି, ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ , କିଛି ଦିନ ପୂର୍ବେ ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ୨ ଯୁବକ ଏକ ସ୍କୁଟର ପଛ ପଟେ ରଶି ବାନ୍ଧି ଜଣେ ଯୁବକଙ୍କୁ ଦୌଡ଼ାଇ ଦୌଡ଼ାଇ ୩ଟି ଟ୍ରାଫିକ୍‌ ଛକ ଅତିକ୍ରମ କରିଥିଲେ। ଏପରିକି  ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ ଯୁବକମାନେ। ହେଲେ କେଉଁଠି ବି ସେମାନଙ୍କୁ ପୁଲିସ୍‌ ଦେଖି ଅଟକାଇ ପାରିଲାନି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ର ଚେତା ପଶିଲା ଓ ୨ ଅଭିଯୁକ୍ତଙ୍କୁ ଗିରଫ କଲା।

ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଭାଇଚାରାର ସହର କଟକରେ ଥରକୁ ଥର ଏପରି ଅମାନବୀୟ ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ପୁଲିସ୍‌ ଜାଣିଶୁଣି ନୀରବ ବସି ରହୁଥିବା ଆଲୋଚନା ହେଉଛି।

Talibani
Advertisment
Advertisment