/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726745315.jpg)
Police Negligence
ଭୁବନେଶ୍ବର ଭରତପୁର ଥାନା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ । ଜଣେ ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡି ଚୋରି ଅଭିଯୋଗ ନେଇ ଭରତପୁର ଥାନାକୁ ଯିବା ପରେ ପାଟ୍ରୋଲିଂ ପାଇଁ ତେଲ ନଥିବା କହିଥିଲେ ଥାନାଧିକାରୀ ଦୀନକୃଷ୍ଣ। ଏପରିକି ୧ ହଜାର ଟଙ୍କାର ତେଲ ପକାଇବା ପରେ ପୋଲିସ ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି ଏତଲାକାରୀ ।
ସୂଚନା ଅନୁଯାୟୀ, ମଞ୍ଚେଶ୍ବର ଗାଡକଣ ଅଞ୍ଚଳର ଧୀରେନ୍ଦ୍ର କୁମାର ବସ୍ତିଆ ଭରତପୁର ଥାନା ଅଞ୍ଚଳରେ ଏକ ମେଡିକାଲ ସାମ୍ନାରେ ତାଙ୍କ ବାଇକ ରଖିଥିଲେ । ହେଲେ ସେଠାରୁ ତାଙ୍କ ବାଇକ ଚୋରି ହୋଇଯାଇଥିଲା । ସିସିଟିଭି, ଭିଜୁଆଲ ସବୁକିଛି ପ୍ରମାଣ ଦେବା ପରେ ମଧ୍ୟ ଠିକ ସମୟରେ ଏତଲା ରୁଜୁ କରିନଥିଲା ପୋଲିସ । ଓଲଟା ଚୋର ଗାଡ଼ି ନେଇ ବୋଟ୍ ଇଞ୍ଜିନ କରିସାରିଥିବା ହାଲୁକା ଭାବେ କହି ଅଭିଯୋଗକାରୀଙ୍କୁ ଥାନାରୁ ଫେରାଇ ଦେଇଥିଲେ ସେତେବେଳର ଥାନାଧିକାରୀ ଦୀନକୃଷ୍ଣ। ତେବେ ଏନେଇ ଦୀନକୃଷ୍ଣଙ୍କ ପ୍ରତିକ୍ରିୟା ମିଳିପାରିନି।
ଅନ୍ୟପଟେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଆଇଆଇସିଙ୍କ ସହ ୫ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ସତ, କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି ପୂର୍ବତନ ସେନା କର୍ମଚାରୀ। ଘଟଣାକୁ ନେଇ କ୍ଷୁବ୍ଧ ଥିବା ସେନା କର୍ମଚାରୀ ଗତକାଲି ରାଜରାସ୍ତାକୁ ଓହ୍ଲାଇବା ସହ ଅପରାଧିକ ମାମଲା ରୁଜୁ ଏବଂ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଏସବୁ ଭିତରେ ପୀଡ଼ିତାଙ୍କୁ ଜାମିନ ପ୍ରଦାନ କରି କ୍ରାଇମବ୍ରାଞ୍ଚ ତଦନ୍ତର ମନିଟରିଂ ନିଜେ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଅପରପକ୍ଷେ ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି।
ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା। ମାମଲା ସାମ୍ନାକୁ ଆସିବାର ୪୮ ଘଣ୍ଟା ଭିତରେ ରାଜ୍ୟ ସରକାର ବଦଳାଇଦେଲେ ଭରତପୁର ଥାନାର ଟୋଟାଲ୍ ଫ୍ରେମ୍। ଥାନା ବାବୁ ଦୀନକୃଷ୍ଣ ମିଶ୍ର, SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ, ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। ହେଲେ ମେଜର ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କୁ ଆଇଆଇସି ଦୀନକୃଷ୍ଣ ମିଶ୍ର ଆଣ୍ଡ କୋ, ଯେଭଳି ରାତିତମାମ ବର୍ବର ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା, ସେହି ପରିମାଣରେ ଶୃଙ୍ଖଳାଗତ ଆକ୍ସନ ସନ୍ତୁଷ୍ଟ କରିପାରିନି ପୂର୍ବତନ ସେନା କର୍ମଚାରୀଙ୍କୁ। ରାଜରାସ୍ତାକୁ ଓହ୍ଲାଇ ନାରାବାଜି କରିଛନ୍ତି ଭେଟେରାନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)