Advertisment

ଧରାପଡ଼ିଗଲା ଭଉଣୀର ମିଛ କିଡନାପ୍ ଡ୍ରାମା, ପ୍ରେମିକ ସହ ଘର ବସାଇବା ପ୍ଲାନ ଫ୍ଲପ୍

ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ ଉଦ୍ୟମ କରୁଥିଲା ଭଉଣୀ । ରାଜସ୍ଥାନୀ ବୟଫ୍ରେଣ୍ଡ ସହ ଚମ୍ପଟ ମାରିବା ବେଳେ ନୟାଗଡ଼ରୁ ଗିରଫ ।

author-image
Satyendu Shekher Mishra
undefined

Kidnap

ସ୍ୱପ୍ନ ଥିଲା ପ୍ରେମିକ ସହ ଘର ବସାଇବାକୁ । ଯୋଜନା ଥିଲା ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ । ସେହି ସ୍ୱପ୍ନ ଆଉ ଯୋଜନା ଭିତରେ ନିଜକୁ ନିଜେ ଅପହୃତ ଦର୍ଶାଇବା ମହଙ୍ଗା ପଡ଼ିଲା ସ୍ମାର୍ଟସିଟିର ସ୍ମାର୍ଟଲେଡ଼ିଙ୍କୁ। ଅର୍ଥାତ ନିଜେ ପଡ଼ିଗଲେ ନିଜ ଜାଲରେ।

Advertisment

ପୋଲିସର କହିବା କଥା, ଜଣେ ମହିଳା ବିବାହ କରିଥିଲେ ୨୦୧୫ରେ। ବିଛେଦ ହୋଇଗଲା ୨୦୧୮ରେ। ଶେଷରେ ଚନ୍ଦକା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିଲେ ବାପାଙ୍କ ସହ। ହଠାତ୍ ଗୁରୁବାର ଚନ୍ଦକା ଥାନାକୁ ଯାଇ ଝିଅଙ୍କୁ କେହି ଅପହରଣ କରିବା ସହ ମୁଣ୍ଡଜାମିନ ରଖି କୋଟିଏ ଟଙ୍କା ମାଗୁଥିବା ଜଣାଇଥିଲେ ବାପା। ବାସ୍, ଏହାପରେ ପୋଲିସ ଆରମ୍ଭ କଲା ଛାନଭିନ୍। ସଂପୃକ୍ତ ମହିଳାଙ୍କ ମୋବାଇଲ ଫୋନକୁ ଟ୍ରେସ୍ କରିଥିଲା ପୋଲିସ।

ସେଥିରୁ ପ୍ରଥମେ ମହିଳାଙ୍କ ଲୋକେସନ ଚାରିଛକ ଓ ପରେ ନୟାଗଡ଼ ବୋଲି ଜଣାପଡ଼ିଥିଲା। ଏହାପରେ ନୟାଗଡ଼ ବଜାରରେ ଚାଲିଥିଲା ଚେକିଂ। ଠିକ୍ ସେହି ସମୟରେ ପୋଲିସକୁ ଏକ କାର ଧକ୍କା ଦେଇଥିଲା। ଯେଉଁ କାରରେ ବସିଥିଲେ ସଂପୃକ୍ତ ମହିଳାଙ୍କ ସହ ଅନ୍ୟ ୨ ଜଣ। ସମସ୍ତେ ଧରାପଡିବା ଭୟରେ ଗାଡ଼ି ଛାଡ଼ି ବିଲ ଭିତରେ ଖସିଯିବାବେଳେ ସଂପୃକ୍ତ ମହିଳା ଓ ଅନ୍ୟ ୨ ଯୁବକଙ୍କୁ କାବୁ କରିଥିଲା ପୋଲିସ। ଏହାପରେ ସାମ୍ନାକୁ ଆସିଥିଲା ଅପହରଣ ନାଟକର ସମ୍ପୂର୍ଣ୍ଣ ସତ।

Advertisment

ମହିଳାଙ୍କ ପୁରୁଷ ବନ୍ଧୁ ପ୍ରଦୀପ ଓଲା। ଯାହା ଘର ରାଜସ୍ଥାନରେ। କିଛି ମାସ ପୂର୍ବରୁ ଏହି ମହିଳାଙ୍କ ସହ ଇନଷ୍ଟାରେ ଗଢ଼ିଉଠିଥିଲା ସଂପର୍କ। ପରେ ଉଭୟେ ବିବାହ ପାଇଁ ମନସ୍ଥ କରିବା ସହ ସଂପୃକ୍ତ ମହିଳା ତାଙ୍କୁ ଓଡ଼ିଶାରୁ ନେଇଯିବାକୁ କହିଥିଲେ। ସେହି ଅନୁଯାୟୀ, ରାଜସ୍ଥାନରୁ କାର ଧରି ଭୁବନେଶ୍ୱର ଆସିଥିଲା ପ୍ରଦୀପ। ଆଉ ଯୋଜନା ମୁତାବକ ମହିଳା ଜଣକ ପ୍ରଦୀପକୁ ଧରି ଘରୁ ବାହାରିବା ପରେ ଟଙ୍କା ପାଇଁ ରଚିଥିଲେ ଅପହରଣର ନାଟକ। 

ବେଙ୍ଗାଳୁରୁରେ ରହୁଥିବା ଭାଇଙ୍କ ପାଖକୁ ପ୍ରଥମେ ଫୋନ କଲା ଅଭିଯୁକ୍ତ ପ୍ରଦୀପ ଓଲା। ଆଉ ମୁଣ୍ଡଜାମିନ ପାଇଁ ମାଗିଥିଲା କୋଟିଏ ଟଙ୍କା। ଏହି ଫୋନ କଲ୍ ପାଇ ମହିଳାଙ୍କ ଭାଇ ୧୨ ଲକ୍ଷ ଟଙ୍କା ବି ପଠେଇଥିଲେ ଏବଂ ବାପାଙ୍କୁ ଜଣାଇ ଦେଇଥିଲେ ସବୁକିଛି। 

କମିଶନରେଟ୍ ପୋଲିସ ଅଭିଯୁକ୍ତ ପ୍ରଦୀପ, ସହଯୋଗୀ ଦେବୀଲାଲ ସହ ସଂପୃକ୍ତ ମହିଳାଙ୍କୁ ଧରି ଏବେ ଖୋଳତାଡ଼ କରୁଛି। ତା’ସହ ଅପହରଣ ନାଟକ ପାଇଁ ବ୍ୟବହୃତ ଏକ ଟୟୋଟା ଗାଡି, ମୋବାଇଲ ସହ ପୋଲିସ ପାସବୁକକୁ ବି ଜବତ କରିଛି। ପ୍ରଦୀପ ନାଁରେ ପୂର୍ବରୁ ବି ରାଜସ୍ଥାନରେ ରହିଛି ଠକେଇ ମାମଲା। ସେଭଳି ଠକ ସହ ସୋସିଆଲ ମିଡ଼ିଆରେ ସଂପର୍କ ରଖି ଏହି ମହିଳା ଏବେ ଅକଳରେ। ତେବେ ଏନେଇ ସଂପୃକ୍ତ ମହିଳା କିମ୍ବା ତାଙ୍କ ବାପା-ଭାଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Kidnapping Case
Advertisment
Advertisment