Advertisment

ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ ।

author-image
Satyendu Shekher Mishra
undefined

Deepawali

ଅଧୁରା ରହିଗଲା ଦୀପାବଳି । ଘରେ ଦୀପ ଜାଳି ପିଲାଙ୍କ ମୁହଁରେ ହସ ଦେଖିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । କିଏ ଜାଣିଥିଲା ପିଲାଙ୍କ ପାଇଁ ବାଣ କିଣି ଫେରୁଥିବା ମଣିଷଟାର ଜୀବନ ଚାଲିଯିବ ଦିୱାଲିର ମଉଜ ଭିତରେ । ଆଉ ସେହି ବିଛେଦର ଯନ୍ତ୍ରଣାକୁ ସହିନପାରି ପତ୍ନୀ ବି ଜୀବନ ହାରିଦେବେ ବୋଲି ।  ସତେଯେମିତି ଡକା ଡକି ହୋଇ ଚାଲିଗଲେ ।

Advertisment

ଖୋର୍ଦ୍ଧା ବୋଲଗଡ଼ ଥାନା ବେଣାଗାଡିଆ ପାଟଣାର ଗୋକୁଳଚନ୍ଦ୍ର ସାହୁ ଏବଂ ପତ୍ନୀ ଆନନ୍ଦିତା । ଗତ ରବିବାର ଦୀପାବଳି ସଂଧ୍ୟାରେ ବାଇକରେ ସାନ ଝିଅ ସହ ସୁନାଖଳା ବଜାରରୁ ବାଣ କିଣି ଫେରୁଥିଲେ ଗୋକୁଳାନନ୍ଦ । କିନ୍ତୁ ହଠାତ ଘଟିଗଲା ଅଘଟଣ । ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଗଲେ ବାପା-ଝିଅ । ଯାହର ଭିଜୁଆଲ୍ ସିସିଟିଭିରେ କଏଦ୍ ହୋଇଛି । ଝିଅ ସାମାନ୍ୟ ଆହତ ହୋଇଥିବାବେଳେ ଗୁରୁତର ହୋଇଥିଲେ ଗୋକୁଳାନନ୍ଦ। କିନ୍ତୁ ଦୁର୍ଭାଗ୍ୟ, ତାଙ୍କୁ ଏମସ ସ୍ଥାନାନ୍ତର ବେଳେ ଚାଲିଗଲା ଜୀବନ।

ବ୍ୟବସାୟ କରି ପରିବାର ପୋଷୁଥିବା ସ୍ୱାମୀଙ୍କ ବିୟୋଗ ଖବର ଶୁଣି ୩୫ ବର୍ଷିୟା ପତ୍ନୀ ଆନନ୍ଦିତାଙ୍କ ପାଦତଳୁ ସତେ ଯେମିତି ଧସିଯାଇଥିଲା ମାଟି, ଛିଣ୍ଡି ପଡ଼ିଥିଲା ଆକାଶ । ଜୀବନ ସାଥୀଙ୍କୁ ହରାଇବା ପରେ କେମିତି ଜୀଇଁବେ ଜୀବନ ? ୧୨ ବର୍ଷର ବଡ଼ଝିଅ ଆଉ ୧୦ ବର୍ଷର ସାନଝିଅଙ୍କୁ କେମିତି ଲାଳନପାଳନ କରି ବଡ଼ କରିବେ ? ଭାବି ଭାବି ସ୍ୱାମୀଙ୍କୁ ଝୁରୁଥିଲେ ଆନନ୍ଦିତା, ଭାଙ୍ଗିପଡ଼ିଥିଲେ ଗୋଟାପଣେ ।

Advertisment

ସ୍ୱାମୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସୋମବାର ସନ୍ଧ୍ୟାରେ ଗାଁକୁ ନିଆଯାଇଥିଲା । ସେଠାରେ ଅନ୍ତେଷ୍ଟି କରାଯାଇଥିଲା ଆଉ ସରିବା ପରେ ଯିଏ ଯାହା ବାଟରେ ଫେରିଯାଇଥିଲେ । ତାରି ଭିତରେ ଏକୁଟିଆ ଅନୁଭବ କରୁଥିବା ଆନନ୍ଦିତା ନେଲେ ଚରମ ନିଷ୍ପତ୍ତି। କିଛି ବୁଦ୍ଧିବାଟ ନଦିଶିବାରୁ ୨ ଝିଅଙ୍କୁ ଅନାଥ କରି ଆନନ୍ଦିତା ହାରିଦେଲେ ଜୀବନ। ଗତ ବିଳମ୍ବିତ ରାତିରେ ଘର ଭିତରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏଭଳି ଦାରୁଣ ଯନ୍ତ୍ରଣା ଆଜି ସାରା ଗାଁକୁ ସ୍ତବ୍ଧ କରିଦେଇଛି, ଆତ୍ମୀୟ ସ୍ୱଜନଙ୍କୁ ଶୋକାଭିଭୁତ କରିଦେଇଛି ।

Diwali
Advertisment
Advertisment