ସମ୍ପତ୍ତି ଲୋଭରେ ନିଷ୍ଠୁର ସାଜିଲା ଝିଅ । ଅନ୍ତ ଫାଡି ଜନ୍ମ ଦେଇଥିବା ମାଆ ଉପରେ କଲା ଅକଥନୀୟ ଅତ୍ୟାଚାର । ବୃଦ୍ଧା ମାଆର ଚୁଟି ଧରି ଘୋଷାଡିବା ସହ ନିର୍ଦ୍ଦୟ ଭାବେ ପିଟିଲା । ଚାପୁଡା, ବିଧା, କାମୁଡା...ନିର୍ଦ୍ଦୟତାର ସବୁ ସୀମା ଲଙ୍ଘିଗଲା । ଏତିକିରେ ମନ ମାନିଲାନି ଯେ, ରାଗରେ ଦେହକୁ କାମୁଡି ତୋ ରକ୍ତ ପିଇବି ବୋଲି କହିଲା । ଏମିତି ଏକ ହୃଦୟ ବିଦାରକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ବି କୋରି ହୋଇଯିବ ।
ଅଧିକ ପଢ଼ନ୍ତୁ: ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଲା ପୁଅ
ଯାହା ସୂଚନା ମିଳିଛି, ନିର୍ଯାତନାର ଶିକାର ମହିଳାଙ୍କ ନାଁ ନିର୍ମଳା ଦେବୀ । ତାଙ୍କୁ ମାଡ ଦେଉଥିବା ଝିଅର ନାଁ ରୀତା । ଏହି ଭିଡ଼ିଓ ଭାଇରାଲ ହେବା ପରେ ନିର୍ମଳା ଦେବୀଙ୍କ ପୁଅ ଅମରଦୀପ ସିଂହ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଭଉଣୀ ମାଆକୁ ଘରେ ବନ୍ଦୀ କରି ରଖିଥିବା ଏବଂ ସବୁ ସମ୍ପତ୍ତି ନିଜ ନାଁରେ କରିବାକୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି ।
ଏତଲାରେ ଅମରଦୀପ କହିଛନ୍ତି, ଦୁଇ ବର୍ଷ ତଳେ ରାଜଗଡ ନିବାସୀ ସଞ୍ଜୟ ପୁନିୟାଙ୍କ ସହ ତାଙ୍କ ଭଉଣୀ ରୀତାର ବିବାହ ହୋଇଥିଲା । ହେଲେ କିଛି ଦିନ ପରେ ରୀତା ଶାଶୁଘର ଛାଡି ବାପାଘରକୁ ପଳାଇ ଆସିଥିଲା । ସେବେଠୁ ସବୁ ସମ୍ପତ୍ତି ନିଜ ନାଁରେ କରିଦେବାକୁ ମାଆ ଉପରେ ଚାପ ପକାଇଆସୁଛି ଏବଂ ନିର୍ଯାତନା ଦେଉଛି । ସେ ନିଜ ସ୍ବାମୀକୁ ମଧ୍ୟ ତାଙ୍କ ସହ ରହିବାକୁ ବାଧ୍ୟ କରୁଛି ।
ସେ ଆହୁରି ଅଭିଯୋଗ କରିଛନ୍ତି, ରୀତା କୁରୁକ୍ଷେତ୍ରରେ ଥିବା ତାଙ୍କର ଏକ ପୈତୃକ ସମ୍ପତ୍ତି ୬୫ ଲକ୍ଷରେ ବିକ୍ରି କରି ସବୁ ଟଙ୍କା ହଡ଼ପ କରିନେଇଛି । ଏବେ ଘରବାଡି ବି ନିଜ ନାଁରେ କରିବାକୁ ମାଆକୁ ବନ୍ଦୀ କରି ରଖିଛି । ସେ ତାଙ୍କୁ ଘରକୁ ଆସିବାକୁ ଦେଉନଥିବା ବେଳେ ତାଙ୍କ ନାଁରେ ମିଛ ମାମଲା କରିବାର ଧମକ ଚମକ ମଧ୍ୟ ଦେଉଥିବା ଅମରଦୀପ ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଅନ୍ୟପଟେ ସୋସିଆଲ ମିଡିଆ ୟୁଜର୍ସ ଅଭିଯୁକ୍ତ ଝିଅକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।