• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାତ୍ର ଗୋଟିଏ ଭୁଲ୍ ପାଇଁ ଆଜି ପରିବାରଠୁ ଲାଞ୍ଛନା ମିଳୁଛି । ସ୍ୱାମୀଙ୍କୁ କାରାଗାର ଭୋଗିିବାକୁ ପଡିଛି । ପତ୍ନୀଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ବାଧ୍ୟ କରିଛି । କୌଣସି ଏକ ସିନେମାର କାହାଣୀଠୁ କମ୍ ନୁହେଁ, ବଲାଙ୍ଗିର ବିଳାସପୁରର ଅଭାଗିନୀ ଡାଙ୍ଗଙ୍କ କାହାଣୀ । ବଲାଙ୍ଗିର କାରାଗାରକୁ ନିୟମିତ ଆସି ସ୍ୱାମୀଙ୍କୁ ଭେଟୁଛନ୍ତି । ଦୁଇ ପରସ୍ତର ଲୁହାଜାଲିର ଝରକା ଦେଇ ଦୁଃଖସୁଖ ହେଉଛନ୍ତି । ଆଜିକୁ ବର୍ଷେ ହୋଇଗଲା ଜେଲ୍‌ରେ ସଜା କାଟୁଛନ୍ତି ସ୍ୱାମୀ ଜୟପାଲ ମହାକୁଡ଼ ।

କାରଣ ନାବାଳିକା ଅବସ୍ଥାରେ ପ୍ରେମିକା ଅଭାଗିନୀଙ୍କୁ ଉଠାଇ ଆଣିଥିଲେ ଜୟପାଲ । ଏଥିପାଇଁ ପୂର୍ବରୁ ବି ଅଭାଗିନୀଙ୍କ ପାଇଁ ୩ ବର୍ଷ ସଜା କାଟିଥିଲେ । ଜାମିନରେ ଆସି ପ୍ରାପ୍ତ ବୟସ୍କା ହେବା ପରେ ଅଭାଗିନୀଙ୍କୁ ବାହା ହୋଇଥିଲେ, ସୁଖର ସଂସାର କରିଥିଲେ । ସେହି ସୁଖଦ ସମୟର ମୁହୁର୍ତ୍ତ ସବୁ, ଯାହା ଆଜି ଫଟୋରେ ସୀମିତ ।

ତେବେ ପ୍ରାପ୍ତ ବୟସ୍କ ହେବା ଆଗରୁ ପ୍ରେମିକା ସହିତ ସଂପର୍କ ରଖିବା ଅପରାଧରେ, ପକ୍ସୋ ଆଇନ ବଳରେ ଏବେ ୨୦ ବର୍ଷର ସଜା କାଟୁଛନ୍ତି ସ୍ୱାମୀ ଜୟପାଲ । ଏଭଳି ସ୍ଥିତିରେ ଅଭାଗିନୀଙ୍କୁ ନା ଶାଶୁଘର ଲୋକେ ଗ୍ରହଣ କରୁଛନ୍ତି ନା ବାପଘର ଲୋକେ ଝିଅକୁ ଘରେ ପୁରାଇ ଦେଉଛନ୍ତି । ଫଳରେ ବଲାଙ୍ଗିର ସହରରେ ଏକ ଦୋକାନରେ ମାସିକ ୪ ହଜାର ଟଙ୍କା ଦରମାରେ କାମ କରି ସ୍ୱାମୀ ପାଇଁ ଆଇନ ଗତ ଲଢେଇ ଲଢୁଛନ୍ତି ଅଭାଗିନୀ ।

ବଲାଙ୍ଗିର ଦେଓଗାଁ ବ୍ଳକ ବିଳାସପୁରର ଜୟପାଲ ମହାକୁଡ ଓ ଅଭାଗିନୀ ଡାଙ୍ଗ । ଉଭୟଙ୍କ ଦେଖାଚାହାଁରୁ ପ୍ରେମ । ଆଉ ପ୍ରେମରେ ଉବୁଟୁବୁ ହୋଇ ୧୬ ବର୍ଷ ବୟସ ହୋଇଥିବାବେଳେ ଅଭାଗିନୀଙ୍କୁ ଘରୁ ଉଠାଇ ନେଇଯାଇଥିଲେ ଜୟପାଲ । ଏଭଳି ସଂପର୍କକୁ ବିରୋଧ କଲେ ପରିବାର ଲୋକେ । ଫଳରେ ୩ଦିନର ରହଣୀ ପରେ ନିଜ ବାପଘରକୁ ଫେରିଯାଇଥିଲେ ଅଭାଗିନୀ । ଅଭାଗିନୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଜୟପାଲଙ୍କୁ ୨୦୧୬ରେ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ । ତେବେ ୨୦୧୯ରେ ଜାମିନରେ ଆସି ପ୍ରାପ୍ତ ବୟସ୍କା ଅଭାଗିନୀଙ୍କ ସହ ମନ୍ଦିରରେ ବିବାହ କରି ଖୁସିରେ ରହୁଥିଲେ ଉଭୟେ ।

ସେତେବେଳେ ରୁଜୁ ହୋଇଥିବା ମାମଲାର ବଲାଙ୍ଗିର ପକ୍ସୋ କୋର୍ଟରେ ବିଚାର ଚାଲିଥିଲା । ଜୟପାଲ ଜେଲରେ ଥିବାବେଳେ, ପରିବାର ଚାପରେ ଜୟପାଲଙ୍କ ବିରୋଧରେ ବୟାନ ଦେଇଥିଲେ ଅଭାଗିନୀ । ଆଉ ଅଭାଗିନୀଙ୍କ ବୟାନକୁ ଭିତ୍ତି କରି ୨୦୨୧, ନଭେମ୍ବରରେ ଜୟପାଲଙ୍କୁ ୨୦ ବର୍ଷର ସଜା ଦେଇଛନ୍ତି କୋର୍ଟ । ତଥାପି ଅଭାଗିନୀ ଆଶା ରଖିଛନ୍ତି, ସ୍ୱାମୀ ନିଶ୍ଚୟ ଜେଲ୍‌ରୁ ବାହାରିବେ, ପୁଣି ଫେରି ଆସିବ ସେମାନଙ୍କ ସୁଖର ସଂସାର ।

ଆଇନଜ୍ଞଙ୍କ ମତ, ଏଭଳି ଘଟଣାରେ କୋର୍ଟ ନିଶ୍ଚିତ ନ୍ୟାୟ ଦେବେ । ଯେହେତୁ ଜୟପାଲଙ୍କ ସହ ସଂସାର କରିସାରିଛନ୍ତି ଅଭାଗିନୀ ଏବଂ ଏବେ ତାଙ୍କ ସହ ହିଁ ଦାମ୍ପତ୍ୟ ଜୀବନ ବିତାଇବାକୁ ଚାହୁଁଛନ୍ତି ।