• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହ ବେଦୀରେ ହଙ୍ଗାମା... ପ୍ରଥମ ପତ୍ନୀ ଅଛନ୍ତି, ୨ ପିଲା ବି ଅଛନ୍ତି । ତା’ ସତ୍ତ୍ୱେ, ଲୁଚି ଲୁଚି ଦ୍ୱିତୀୟ ବିବାହ ପାଇଁ ମନ୍ଦିରରେ ଆଉ ଜଣଙ୍କ ହାତ ଧରିଲା ବେଳେ, ସ୍ତ୍ରୀ-ପିଲାଙ୍କ ଅଚାନକ ଚଢ଼ାଉ । ବାହା ବେଦୀରେ ବାଜିଲା ଉତ୍ତମ ମଧ୍ୟମ ।

ଭୁବନେଶ୍ୱର ଉପକଣ୍ଠ ବାଳକାଟିସ୍ଥିତ ଦୁଲ୍ଲାଦେବୀ ମନ୍ଦିର ପରିସରରେ ଘଟିଛି ଏ ଚର୍ଚ୍ଚିତ ଘଟଣା । ବର ବେଶରେ ଖୋର୍ଦ୍ଧା ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ସୁରେଶ ହାତୀ । ୨୦୧୦ରେ ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୧୨ ବର୍ଷ ଓ ୩ ବର୍ଷ ବୟସର ଦୁଇ ଝିଅବି ଅଛନ୍ତି । ଏପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ହେଲେ ସୁରେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା । ଦୁଇ ପିଲାଙ୍କୁ ଧରି ପ୍ରାୟ ଦୁଇ ବର୍ଷ ହେବ ବାପ ଘର ଜଗତସିଂହପୁର ଏରସମା ଅଞ୍ଚଳରେ ରହୁଥିଲେ ଅହଲ୍ୟା ।

ହେଲେ ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ । ଆଉ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ କନ୍ୟା ବେଶରେ ବେଦୀରେ ବସିଥିବା ଝିଅ । ମୁହୂର୍ତ୍ତକ ଭିତରେ ସ୍ଥିତି ଏମିତି ବଦଳିଯାଇଥିଲା ଯେ କେହି କିଛି ବୁଝି ପାରିନଥିଲେ । ପରେ ଅହଲ୍ୟା ସବୁ ଘଟଣା ଜଣାଇବା ପରେ ସ୍ଥାନୀୟ ବାଳକାଟି ଫାଣ୍ଡିକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ସୁରେଶଙ୍କୁ ଫାଣ୍ଡିକୁ ନେଇଯିବା ପରେ ଏଠୁ ସିଧା ଜଙ୍କିଆ ଥାନାକୁ ଯାଇଥିଲେ ଅହଲ୍ୟା ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା । ସ୍ୱାମୀଙ୍କ ବିରୋଧରେ ଅହଲ୍ୟା ଜଙ୍କିଆ ଥାନାରେ କରିଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି । ସୁରେଶ ଏବେ ବି ବାଳକାଟି ଫାଣ୍ଡିରେ ଅଟକ ଥିବା ଜଣାପଡ଼ିଛି ।