• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସାଂଘାତିକ ଜାଲିଆତି । ବାହୁବଳୀ MLA ପ୍ରଶାନ୍ତ ଜଗଦ୍ଦେବଙ୍କ ହିଟ୍ ଆଣ୍ଡ ରନ୍ ମାମଲାରେ ଥମୁନି ବିବାଦ । ସାମ୍ନାକୁ ଆସିଛି ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ବର ଜାଲିଆତି ପ୍ରମାଣ । ଦୁର୍ଘଟଣା ପରେ ଯେଉଁ ଗାଡ଼ିର ନମ୍ବରକୁ ନେଇ ମାମଲା ରୁଜୁ ହୋଇଥିଲା, ସେହି ନମ୍ବରରେ ଥିବା ଅନ୍ୟ ଏକ ଗାଡ଼ି ମିଳିଛି ନୟାଗଡ଼ରୁ । ଅର୍ଥାତ ଲୋକଙ୍କୁ ଗାଡ଼ି ମଡ଼ାଇବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବ୍ୟବହାର କରିଥିବା ଡିସ୍କଭରି ଗାଡ଼ିର ନମ୍ବରରେ ହୋଇଛି ସାଂଘାତିକ ଜାଲିଆତି ।  ତେବେ ଏଭଳି ନମ୍ବର ଜାଲିଆତି ପଛରେ କିଏ ? କାହିଁକି ଦୁଇ ଦୁଇଟି ନମ୍ବର ବ୍ୟବହାର କରାଯାଉଥିଲା ଏହି ଗାଡ଼ିରେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଥିବା ବେଳେ ଖୋର୍ଦ୍ଧା ପୋଲିସ ଏବେ ଏହି ଜାଲିଆତି ନେଇ ଆଉ ଏକ ମାମଲା ରୁଜୁ କରିଛି । ସେପଟେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଦେଖାଦେଇଛି ଟ୍ୱିଟ୍‌ ୱାର ।

ଗୋଟିଏ ଗାଡ଼ିରେ ଦୁଇ ଦୁଇଟି ନମ୍ବର । ଲୋକଙ୍କ ଉପରେ ମାର୍ଚ୍ଚ ୧୨ରେ ଗାଡ଼ି ମଡ଼ାଇବା ବେଳେ ଥିଲା ଯେଉଁ ନମ୍ବର, ଲୋକଙ୍କ ଗାଡ଼ି ଭଙ୍ଗାରୁୂଜା ପରେ ବାହାରିଲା ଆଉ ଏକ ନମ୍ବର । ଦୁର୍ଘଟଣା ଘଟାଇଥିବା ଡିସ୍କଭରି ଗାଡ଼ିକୁ ଦେଖିଲେ ଗୋଟିଏ ନମ୍ବର ହେଉଛି OD 25 K 5775 । ଆଉ ଏକ ନମ୍ବର ହେଉଛି OD 02 AY 5775 । ଏହି ଦୁଇଟି ନମ୍ବର ଭିତରେ ଏବେ ଦ୍ୱନ୍ଦ୍ୱ ବଢ଼ାଉଛି OD 02 AY 5775 । କାରଣ ପୋଲିସ ପକ୍ଷରୁ ରୁଜୁ ମାମଲାରେ ଧକ୍କା ଦେଇଥିବା ଗାଡି ଡିସ୍କଭରି ଏବଂ ଗାଡି ନମ୍ବର OD 02 AY 5775 ବୋଲି ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ବିଧାୟକଙ୍କ ଜଣେ ସମର୍ଥକଙ୍କ ପକ୍ଷରୁ ଏକ ଏତଲାରେ ଦର୍ଶାଯାଇଛି ଯେ, ଦୁର୍ଘଟଣା ଘଟାଇଥିବା ଗାଡି ନମ୍ବର OD 25K 5775 । ଆଉ ଏହାକୁ ନେଇ ଜାରି ରହିିଥିବା ଖୋଳତାଡ଼ ଭିତରେ ପୋଲିସ ଏବେ ନମ୍ବର ଜାଲିଆତି ହୋଇଥିବା କହିଛି ।

ତଦନ୍ତରୁ ଜଣାପଡ଼ିଛି, OD 02 AY 5775 ନମ୍ବର ହେଉଛି ଗୋଟିଏ କ୍ରେଟା ଗାଡ଼ିର । ନୟାଗଡ଼ରେ ରହିଛି ସେହି ନମ୍ବର ବିଶିଷ୍ଟ କ୍ରେଟା ଗାଡ଼ି । ରାଜସୁନାଖଳାର ଶିବାନୀ ଫୁଡ୍ ପ୍ରଡକ୍ଟର ରବୀନ୍ଦ୍ରନାଥ ସୁବୁଦ୍ଧିଙ୍କ ନାଁରେ ଗାଡ଼ିଟି ରହିଛି । ଆଉ ଆରଟିଓରୁ ମିଳିଥିବା ରିପୋର୍ଟ କହୁଛି, OD 25 K 5775 ନୟାଗଡ଼ର କୁମାର ଦେବଦତ୍ତଙ୍କ ନାଁରେ ରହିଛି । ଏଭଳି ଜାଲିଆତି ଜଣାପଡ଼ିବା ପରେ ଖୋର୍ଦ୍ଧା ପୋଲିସ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରିଥିବା କହିଛି।

ସେପଟେ ଭୁବନେଶ୍ୱର ଆରଟିଓ-୧ ଅଧିକାରୀ କହିଛନ୍ତି, ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଦୁର୍ଘଟଣା ପରେ, ଏମଭିଆଇ ଗାଡ଼ିର ଯାଞ୍ଚ କରିଥିଲେ । ଆସନ୍ତାକାଲି ଯାଞ୍ଚ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଆସିବା ପରେ ପୋଲିସକୁ ହସ୍ତାନ୍ତର କରାଯିବ ଏବଂ ପୋଲିସ ରିପୋର୍ଟ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେବ ବୋଲି କହିଛନ୍ତି ।

ତେବେ ପୋଲିସ-ଜନତାଙ୍କ ଉପରେ ଚଢ଼ାଇଥିବା ଗୋଟିଏ ଗାଡ଼ିରେ ଦୁଇ ଦୁଇଟି ନମ୍ବର କାହିଁକି ? ଶିବାନୀ ଫୁଡ୍ ପ୍ରଡକ୍ଟର ରବୀନ୍ଦ୍ରନାଥ ସୁବୁଦ୍ଧିଙ୍କ ଏହା ଜାଣତରେ ହୋଇଛି କି ? ଶିବାନୀ ଫୁଡ୍‌ ସହ ପ୍ରଶାନ୍ତଙ୍କ ସମ୍ପର୍କ କଣ ? ଏଭଳି ନମ୍ବର ଜାଲିଆତି ନେଇ ପ୍ରାଥମିକ ତଦନ୍ତରୁ ପୋଲିସ କେମିତି ଜାଣିପାରିଲାନି ?

ଏଭଳି ନାନା ପ୍ରଶ୍ନ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଦେଖାଦେଇଛି ଟ୍ୱିଟର୍ ୱାର । ସିରିଜ୍ ଟ୍ୱିଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, ବିଧାୟକ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ନମ୍ବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ପୋଲିସ ବି ନିଜ ଆଡୁ ମାମଲା ରୁଜୁ କରିଥିଲା । ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ଥିବା ସେହି ଗାଡ଼ି ନମ୍ବର ବଦଳରେ ଭିନ୍ନ ଏକ ଗାଡ଼ିର ନମ୍ବର ଏବେ ଉଲ୍ଲେଖ ରହିଛି । ପୋଲିସର ଏହି କାର୍ଯ୍ୟ ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଏକ ସୁସ୍ଥ ସମାଜରେ ଅଶୋଭନୀୟ ବୋଲି କହିଛନ୍ତି । ଧର୍ମେନ୍ଦ୍ରଙ୍କ ଏଭଳି ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା, ଏଥିପାଇଁ ବିଧାୟକଙ୍କ ବିରୋଧରେ ଜାଲିଆତିର ସଂଗୀନ ଦଫା ପୋଲିସ ଲଗାଇଛି । ଅପରପକ୍ଷେ କଂଗ୍ରେସ ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରି ଏହାର ତଦନ୍ତ ଦାବି କରିଛି ।

ମାର୍ଚ୍ଚ ୧୨ରେ ବାଣପୁରରେ ଲୋକଙ୍କ ଭିଡ଼ ଉପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡାଇ ଦେବାରୁ ୧୦ରୁ ଅଧିକ ଲୋକ, କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିଲେ । ଏହି ମାମଲାରେ ବିଧାୟକ ଗିରଫ ହୋଇସାରିଥିବା ବେଳେ ଏହି ନମ୍ବର ଜାଲିଆତି ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ତାକୁ ଏବେ ଅପେକ୍ଷା ।