• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ । ଜବତ ହୋଇଥିବା ୨ ଶହ କୋଟିରୁ ଅଧିକ ଟଙ୍କା ଗଣିବାରେ ଲାଗିଛନ୍ତି ଇନକମ୍ ଟ୍ୟାକ୍ସ ବିଭାଗର ଅନେକ ଅଧିକାରୀ ।

ଟଙ୍କା ଗଣି ଗଣି ମଣିଷ ଥକି ଯାଇଥିବା ବେଳେ ବାରମ୍ବାର ମେସିନ୍ ବି ଖରାପ ହେଉଛି, ତଥାପି ଟଙ୍କା ସରୁନି । ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜା ଚାଲିଛି ।

ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଗଣତି ବି ଜାରି ରହିଛି । ସେହିପରି ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ବାଲଙ୍କ ଘର, ଅଫିସ ଓ ସର୍ଗିପାଲି ଦେଶୀ ମଦ ଭାଟିରେ ଆୟକର ବିଭାଗ ଛାପା ମାରିଛି । ଏସବୁ ଜାଗାରୁ ଜବତ କୋଟି କୋଟି ଟଙ୍କା କାହାର ? ନଗଦ ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ?

କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏସବୁ ? ଆୟକର ଫାଙ୍କି ଏସବୁ ନଗଦ ଟଙ୍କା ରଖାଯାଇଥିଲା ନା ରାଜନୈତିକ କିମ୍ବା ବଡ଼ବଡ଼ିଆଙ୍କ ରହିଛି ଲିଙ୍କ୍ ? ଏଥିରେ ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ଲିଙ୍କ୍ ସ୍ପଷ୍ଟ ହେଉଥିବାରୁ ଏବେ ଜାତୀୟ ରାଜନୀତି ବି ସକ୍ରିୟ ହୋଇଛି ।

ଅନ୍ୟପଟେ ରାଜ୍ୟରେ ଆୟକର ରେଡ୍ ରେ ଏଯାଏଁ ମିଳିଥିବା ପ୍ରାୟ ୨ ଶହ କୋଟି ଟଙ୍କା ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆୟକର ବିଭାଗର ଡିଜି ସଞ୍ଜୟ ବାହାଦୂର । କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଏ ସଂପର୍କରେ ଆୟକର ବିଭାଗର ଦିଲ୍ଲୀ ଅଫିସରୁ ଅଧିକ ସୂଚନା ଦିଆଯିବ ।

ସେପଟେ ମଦଭାଟି ମ୍ୟାନେଜରଙ୍କ ଘରେ ପୁଣି ଠାବ ହେଲା ଟଙ୍କାର ପାହାଡ଼ । ବଲାଙ୍ଗିର ସୁଦପଡ଼ା ସ୍ଥିତ ମଦ ଭାଟି ମ୍ୟାନେଜର ବଣ୍ଟିଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ପ୍ରାୟ ୨୦ ପେଟି ଟଙ୍କା ଜବତ କରିଛି । ପୋଲିସ ଉପସ୍ଥିତିରେ ଆୟକର ଟିମ୍ ସଦସ୍ୟ ଏହାକୁ ଜବତ କରି SBI ଶାଖାକୁ ନେଇଛନ୍ତି ।