Advertisment

ଚର୍ଚ୍ଚାରେ ବୋରୱେଲରୁ ଉଦ୍ଧାର ନବଜାତ; କିଏ କହୁଛି ବିଜୁଳି କନ୍ୟା, ତ କିଏ କହୁଛି ଭାଗ୍ୟବତୀ

କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ ।

author-image
Tanmay Kumar Mahalik
undefined

Who is behind this heinous act of throwing infant into borewell

ମରଣର ଅନ୍ଧାରୀ ବୋରୱେଲରୁ ଜୀବନ ନେଇ ଫେରିଆସିଥିବା ସେହି ନବଜାତକୁ ଏବେ କିଏ କହୁଛି ବିଜୁଳି କନ୍ୟା ତ ଆଉ କିଏ କହୁଛି ଭାଗ୍ୟବତୀ । ଜନ୍ମ କରିଥିବା ପିଶାଚିନୀ ମା’ ସିନା ପର କରିଦେଲା, ହେଲେ କୋଳେଇ ନେଇଥିବା ଧରିତ୍ରୀ ଜୀବନ୍ତ ଧରାଇଦେଲା ଦେବଦୂତ ସାଜିଥିବା ଉଦ୍ଧାରକାରୀ ଟିମ୍ ହାତରେ । ୨ ଦିନର ଏହି ଶିଶୁକନ୍ୟା ଏବେ ମେଡ଼ିକାଲରେ ଚିକିତ୍ସାଧୀନ । ହେଲେ କିଏ ସେହି ନିର୍ଦ୍ଦୟୀ ମହିଳା, କିଏ ସେହି ନୃଶଂସ ପୁରୁଷ ? ନିଜ ଔରସରୁ ଜନ୍ମଦେବା ପରେ ବି କଅଁଳ ପିଲାର କାହିଁକି ଏଭଳି ଦଶା କଲା ? ମାମଲା ରୁଜୁ କରି ଏବେ ଖୋଳତାଡ଼ କରୁଛି ସମ୍ବଲପୁର ପୋଲିସ ।

Advertisment

ଜୀବନ କ’ଣ ଜାଣିବା ଆଗରୁ ଏତେ ଯେ ଯନ୍ତ୍ରଣା ସହିବାକୁ ପଡ଼ିବ... ଦୁନିଆରେ ପାଦ ଦେଉ ଦେଉ ସେ ଯେ ଏତେ ଅଲୋଡ଼ା ହୋଇଯିବ... ଯେଉଁ ଗର୍ଭର ଉଷ୍ମତା ଭିତରେ ଆତ୍ମୀୟତାକୁ ଅନୁଭବ କରିଥିବା ନବଜାତଟିକୁ ଯେ ଜନ୍ମ ହେଲା ପରେ ପରେ ପର ହେବାକୁ ପଡ଼ିବ ବୋଧହୁଏ ସେ ଜାଣିନଥିଲା । କିନ୍ତୁ ଆପଣାର ସ୍ୱାର୍ଥ ଖୋଜିଥିବା ମଣିଷ ଏହି କନ୍ୟା ସନ୍ତାନଟି କଣ୍ଟା ସାଜିବ ଭାବି ତାକୁ ଫୋପାଡ଼ି ଦେଇଥିଲା ପରିତ୍ୟକ୍ତ ଗାତରେ ।

ହେଲେ କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ । ସେହି ପ୍ରଶ୍ନର ଏବେ ଉତ୍ତର ଖୋଜୁଛି ସମ୍ବଲପୁର ପୋଲିସ । ରେଙ୍ଗାଲି ଥାନା ଅନ୍ତର୍ଗତ ଲରିପାଲି ଗାଁରେ ସେହି ବୋରୱେଲ୍ ଆଖପାଖରୁ ପ୍ରମାଣ ଗୋଟାଇବାକୁ ଉଦ୍ୟମ ଚଳାଇଛି । ଏପରିକି IPC ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଦଫା ଲଗାଇବା ସହ ପୋଲିସ ଖୋଳତାଡ଼ ଜାରି ରଖିଛି ।

Advertisment

କେବଳ ଏତିକି ନୁହେଁ, ପରିତ୍ୟକ୍ତ ଅବସ୍ଥାରେ ବୋରୱେଲକୁ ଛାଡ଼ିଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟ, ଶ୍ରୀରାମ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଚାଷବାସ ପାଇଁ ଏହି ବୋରୱେଲ୍ ଖୋଳିଥିଲେ ଗତ ପ୍ରାୟ ୪୦ ବର୍ଷ ତଳେ । କିନ୍ତୁ ତାଙ୍କ ଦେହାନ୍ତ ପରଠୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଏଭଳି ଭାବେ ।

ବୋଲୱେଲରୁ ଉଦ୍ଧାର ନବଜାତ ବୁର୍ଲା ମେଡିକାଲ SNCUରେ ଚିକିତ୍ସା ଚାଲିଥିବାବେଳେ ତା’ର ଗତକାଲି ଅପେକ୍ଷା ଆଜି ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଭୀମସାର ଅଧୀକ୍ଷକଙ୍କ କହିବା କଥା, ଶିଶୁଟି ମାତ୍ର ସାଢ଼େ ୮ ମାସର । ଓଜନ ମାତ୍ର ୧ କିଲୋ ୬ ଶହ ଗ୍ରାମ୍ । ଏହି କାରଣରୁ ଆଗକୁ କମ୍ପ୍ଲିକେସି ଦେଖାଯିବାର ଆଶଙ୍କା ଥିବାରୁ ଏକ ୫ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ତା’ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି । ନବଜାତଟି ସ୍ୱାଭାବିକ ଅବସ୍ଥାକୁ ଆସିବା ପରେ ଇଣ୍ଟରନ୍ୟାଲ ଇଞ୍ଜୁରୀର ପରୀକ୍ଷା ନିରୀକ୍ଷା କରାଯିବ ।

ମଙ୍ଗଳବାର ଠିକ୍ ଏହି ସମୟରେ ସାରା ରାଜ୍ୟ ଦେଖୁଥିଲା ଉଦ୍ଧାରକାରୀ ଟିମର ଏଭଳି ଅଦମ୍ୟ ସାହସ ଓ କୌଶଳକୁ । ଲାରିପାଲିର ବୋରୱେଲ ଉପରେ ଥିଲା ସମସ୍ତଙ୍କ ନଜର । କାରଣ ଶିଶୁଟି ଲୁହା ପାଇପର ୧୩ ଫୁଟ ଭିତରେ ପଡ଼ିରହିଥିଲା ଏଭଳି ଭାବେ । ଆଉ ତାର କୁଆଁ କୁଆଁ କାନ୍ଦ ଶୁଣିବା ପରେ ଉତ୍ସାହିତ ହୋଇଥିବା ରେସ୍କ୍ୟୁ ଟିମ୍ ଲାଗିପଡ଼ିଥିଲା ଉଦ୍ଧାର ପାଇଁ । ପ୍ରଥମେ ପାଇପ୍ ପାଖରେ ଜେସିବି ଦ୍ୱାରା ୨୦ ଫୁଟର ଗାତ ଖୋଳାଯାଇଥିଲା । ପରେ ହାତରେ ମାଟି ଖୋଳି ପାଇପ୍ ପାଖରେ ପହଁଚିବା ପରେ ଆରି ଓ ମେସିନରେ କଟାଯାଇଥିଲା ପାଇପ୍ ।

ସେହି କୌଶଳ ଭିତରେ ଶିଶୁଟିର ଅବସ୍ଥାକୁ ନିରୀକ୍ଷଣ କରୁଥିଲା ଭୁବନେଶ୍ୱରରୁ ଯାଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା । ଶିଶୁକୁ ପର୍ଯ୍ୟାପ୍ତ ଅମ୍ଲଜାନ ଦିଆଯାଉଥିଲା ଏହି ପାଇପ୍ ବାଟରେ । ତାକୁ ଶୀତଦାଉରୁ ରକ୍ଷା ପାଇଁ ୧୦୦ ୱାଟ୍ ଇଲେକ୍ଟ୍ରି ବଲ୍ ବି ତଳକୁ ଛଡ଼ାଯାଇଥିଲା । ଶେଷରେ ୮ ଘଂଟାର ନନଷ୍ଟପ୍ ଅପରେସନ ପରେ ଉଦ୍ଧାର ହୋଇଥିଲା ନବଜାତ ।

New Born Baby Borewell
Advertisment
Advertisment